କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

କେନ୍ଦ୍ରାପଡ଼ା, ୧୯/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆରଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ସୋମବାର ପାଳିତ ହୋଇଯାଇଛି । ଶ୍ରୀଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ଶ୍ରୀଜୀଉଙ୍କ ମନ୍ଦିର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । ଜନ୍ମୋତ୍ସବ ପାଇଁ ଶ୍ରୀଜୀଉଙ୍କୁ ସକାଳ ୬ଟାରେ ଜୟମଙ୍ଗଳା ଆଳତୀ, ୮ଟାରେ ନୀତିସ୍ନାନ ବଲ୍ଲଭ, ୯ଟାରେ ଖେଚୁଡି ଧୂପ ଓ ପୂର୍ବାହ୍ନ୧୧ଟାରେ ଓଲାଗି ହୋଇଥିଲା । ଏହାପରେ ଶ୍ରୀଜୀଉଙ୍କୁ ଧୋତି ଚଦର ପିନ୍ଧାଯାଇ ଜନ୍ମବେଶ କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କ ନିକଟରେ ଖିରୀ ଭୋଗ ଲାଗି କରାଯାଇଥିଲା । ଏହାପରେ ମଙ୍ଗଳାର୍ପଣ ଓ ଗହ୍ମା ଅଭିଷେକ କରାଯିବା ପରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା । ଚିତାଲାଗି ପରେ କେନ୍ଦ୍ରାପଡା ଜିଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗୟାସପୁର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣକେନ୍ଦ୍ରରୁ ଆସିଥିବା ଏକଲକ୍ଷ ତୁଳସୀ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଥିଲା । ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରା ପଠାଇଥିବା ରାକ୍ଷୀ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପିନ୍ଧାଯାଇଥିଲା । ଅପରାହ୍ନ୨ଟାରେ ହୋମଯଜ୍ଞ କରାଯାଇ ଦ୍ୱିପହର ଧୂପ ଲାଗି ହୋଇଥିଲା । ଏହାପରେ ପହଡ ପଡିଥିଲା । ସାଢେ ୫ଟାରେ ପହଡ ଫିଟିବା ପରେ ସନ୍ଧ୍ୟା ଆରତୀ କରାଯାଇ ଖିରୀ ପିଠା ଭୋଗ ଲାଗି ହୋଇଥିଲା । ଏହାପରେ ପୂର୍ଣ୍ଣାହୁତି କରାଯାଇଥିଲା । ରାତ୍ର ଧୂପ ପରେ ବଡ଼ସିଂହାର କରାଯାଇଥିଲା । ପ୍ରାୟ ୨୫ ହଜାର ଭକ୍ତ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ବେଶ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *