ମୁଖ୍ୟମନ୍ତ୍ରୀ ଅଫିସର ଯୁଗ୍ମ ସଚିବର ପରିଚୟ ଦେଇ ଠକୁଥିବା ଠକ ଗିରଫ

ଫୁଲନଖରା ୨୦/୧୧/୨୦୨୫ (ଓଡ଼ିଶା ସମାଚାର)-  ଚାକିରି କରାଇଦେବା ଓ ବିଭିନ୍ନ ସ୍ଥାନକୁ ବଦଳି କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକୁଥିବା ଅଭିଯୋଗରେ  ଜଣେ ଠକକୁ କଟକ ସଦର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ତେଲେଙ୍ଗାପେଣ୍ଠସ୍ଥିତ ଅଢଙ୍ଗଡିହ ଗ୍ରାମରେ ଭଡାରେ ରହୁଥ‌ିବା କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମନ୍ଥଳା ଗ୍ରାମର ଅର୍ଜୁନ ପାଣିଗ୍ରାହୀ କଟକ ସଦର ଥାନା ଅନ୍ତର୍ଗତ ନଛିପୁର ଗ୍ରାମର ସମୀର ସାହୁଙ୍କ ଠାରୁ ଚାକିରି କରାଇଦେବା ପାଇଁ ୭୫ହଜାର ଟଙ୍କା ନେଇଥିଲେ ।

ଚାକିରି ଦେବା ବିଳମ୍ବ ହେବାରୁ ସମୀର ତାଙ୍କୁ ଅନେକ ଥର କହିବା ସତ୍ତ୍ବେ ଅର୍ଜୁନ ନିଜର ପ୍ରତିଶ୍ରୁତି ଅନୁସାରେ କୌଣସି ଚାକିରି ଦେଇ ନଥିଲେ । ଅଭିଯୋଗକାରୀ ତାଙ୍କ ଟଙ୍କା ଫେରସ୍ତ ଦାବି କରିବା ସମୟରେ ଅଭିଯୁକ୍ତ ଅର୍ଜୁନ କେବଳ ୨୦ହଜାର ଟଙ୍କା ଫେରାଇ ବାକି ଟଙ୍କା ଆଉ ଫେରାଇ ନଥିଲେ । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ ଅର୍ଜୁନ ନିଯୁକ୍ତି ଦେବା ନାଁରେ ତାଙ୍କ ଠାରୁ ଟଙ୍କା ନେବାର ଏକ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଓ ସେ ଅନେକ ବ୍ୟକ୍ତିଙ୍କୁ ଚାକିରି, ବଦଳି କରିଦେବା ପ୍ରତିଶ୍ରୁତି ଦେଇ ଠକିଛନ୍ତି ।

ତେଣୁ ସେ ଶେଷରେ ନିରାଶ ହୋଇ କଟକ ସଦର ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସେ, ଅଭିଯୁକ୍ତ ଅର୍ଜୁନ ପାଣିଗ୍ରାହା ନିଜକୁ ମୁଖ୍ୟମନ୍ତ୍ରୀ ଙ୍କ ଅଫିସର ଯୁଗ୍ମ ସଚିବ ଭାବରେ ପରିଚୟ ଦେଇ ବିଭିନ୍ନ ବ୍ୟକ୍ତିଙ୍କୁ ଚାଳିରି ପ୍ରଦାନ କରାଇଦେବା ଓ କାର୍ଯ୍ୟରତ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିବାର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିଲେ । ସଦର ପୁଲିସ୍ ଅର୍ଜୁନକୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୩୮ହଜାଇ ଟଙ୍କା, ବିଭିନ୍ନ୍ ବ୍ୟକ୍ତିବିଶେଷଙ୍କ ନାମ ଲେଖାଥିବା ରେଜିଷ୍ଟର, ଓଡିଶା ମୋବାଇଲ୍ ଟିଭିର ସମ୍ପାଦକର ପରିଚୟ ଥିବା ଏକ ସାମ୍ବାଦିକ ପରିଚୟପତ୍ର, ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଏକ ବ୍ୟାଙ୍କ ପାସ୍‌ବୁକ ଜବତ କରିଛି ।

Leave a Reply

Your email address will not be published. Required fields are marked *