୨୭ ଆଦିବାସୀଙ୍କ ଗିରଫଦାରୀର ପ୍ରତିବାଦ

କେନ୍ଦ୍ରାପଡ଼ା, ୨୫/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲାର ଆଦିବାସୀ ନେତା ବିଦ୍ୟାଧର ଦେହୁରୀଙ୍କ ସମତେ ୨୭ ଆଦିବାସୀଙ୍କ ଗିରଫଦାରୀକୁ ବିଭିନ୍ନ ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ାରେ ନିନ୍ଦା କରାଯିବା ସହ ତା’ର ପ୍ରତିବାଦ କରାଯାଇଛି । ତିନିମୁହାଣୀଛକ ସ୍ଥିତ ରାମମନ୍ଦିର ପରିସରରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଦିବାସୀ ଦଳିତ ଉପରେ ନିର୍ଯ୍ୟାତନା ଓ ଶୋଷଣ ବଢି ବଢି ଚାଲିଛି । ଖୋର୍ଦ୍ଧା ଜିଲାର ଟାଙ୍ଗୀ ତହସିଲ ଅଧୀନ ମଧୁପୁର ଆଦିବାସୀଙ୍କୁ ସରକାର ୧୯୯୨ ମସିହାରେ ଜମି ପଟ୍ଟା ଦେଇଥିଲେ । କିନ୍ତୁ ସେମାନେ କେଉଁଠି ରହିବେ ସେ ନେଇ ତତ୍କାଳୀନ ସରକାର କି ୨୪ ବର୍ଷ ଶାସନରେ ଥିବା ବିଜେଡି ସରକାର ଜାଗା ଚିÿହ୍ନଟ କରି ନଥିଲେ । ମାତ୍ର ସେହି ଗ୍ରାମରେ ଥିବା ଅନାବାଦୀ ଜମିକୁ ଖଣି ଖାଦନ ପାଇଁ ଲିଜ ଦିଆଯାଇଛି । ଏଥିସହ ପ୍ଲଟିଂ ଓ ଘର ନିର୍ମାଣ ପାଇଁ ବିଲଡରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହାକୁ ଆଦିବାସୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ । ଏ ନେଇ ବହୁ ଥର ସ୍ଥାନୀୟ ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଦିବାସୀମାନେ ଏହାର ପ୍ରତିବାଦ କରିଥିଲେ । ଫଳରେ ବିଲଡରମାନଙ୍କର ଗୋଲାମୀ ସାଜିଥିବା ପ୍ରଶାସନ ଲାଠିମାଡ଼ କରି ବହୁ ଲୋକଙ୍କୁ ଆହତ କରିଥିଲେ । ଏହା ପରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ବିଦ୍ୟାଧର ଦେହୁରୀଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ବିଲଡରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପୋଲିସ ସାହାଯ୍ୟରେ ପ୍ରଶାସନ ନିରୀହ ଆଦିବାସୀଙ୍କୁ ଲାଠି ମାଡ଼ ମାରିଥିଲେବି ରାଗ ଥମି ନଥିଲା । ୨୭ ଆଦିବାସୀଙ୍କ ବିରୋଧରେ ସଙ୍ଗୀନ୍ ଦଫା ଲଗାଇଥିଲା । ଏହାପରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଦିବାସୀ ନେତା ବିଦ୍ୟାଧର ଦେହୁରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରାଜ୍ୟରେ ସମ୍ବିଧାନର ମୌଳିକ ଅଧିକାର ଓ ସ୍ୱତନ୍ତ୍ରତା କ୍ଷ୍ୟୂର୍ଣ ହୋଇ ଚାଲିଛି । ନ୍ୟାୟ ପ୍ରତିଷ୍ଠା ପାଇଁ ୟୁନାଇଟେଡ଼ ଫୋରମ ପକ୍ଷରୁ ସାବିତ୍ରୀ ବାଇ ଫୁଲେ, ସେବା ସଂଘ ଜିଲ୍ଲା ସଭାପତି ସୁପ୍ରଭା ମଲ୍ଲିକ, ରାଷ୍ଟ୍ରୀୟ ବୌଦ୍ଧ ମହାସଭା କେନ୍ଦ୍ରାପଡ଼ା ଜିଲା ସଭାପତି ବିଳାସିନୀ ମଲ୍ଲିକ, ୟୁନାଇଟେଡ଼ ଫୋରମ ଜିଲା ସଭାପତି ଦିଲ୍ଲୀପ କୁମାର ମଲ୍ଲିକ, ମାର୍ଶାଘାଇ ବ୍ଲକ ସଭାପତି ମାନସ ମଲ୍ଲିକ, କର୍ମକର୍ତା ବେଲାର ସେନ ଦାସ, ରଶ୍ମିତା ମଲ୍ଲିକ, ବ୍ଲକ ସଂଯୋଜକ ଦିଲ୍ଲୀପ ମଲ୍ଲିକ, ଆରତୀ ସେଠୀ, ବୈଜୟନ୍ତୀ ଦାସ ପ୍ରମୁଖ ଦାବି କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରି ଶ୍ରୀ ଦେହୁରୀଙ୍କ ସମତେ ସମସ୍ତ ଆଦିବାସୀଙ୍କୁ ତୁରନ୍ତ କାରାମୁକ୍ତ କରିବା ନିମନ୍ତେ ନିବେଦନ କରାଯାଇଛି । ସରକାର ଦାବି ନ ଶୁଣିଲେ ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାରେ ସମସ୍ତ ସଂଗଠନକୁ ନେଇ ଏକ ଜିଲାସ୍ତରୀୟ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *