ଆସନ୍ତା ୨୦ ତାରିଖ ସଂନ୍ଧ୍ୟା ୫ଟାରେ ୟୁନିଟ୍-୩, ଶ୍ରୀରାମ ମନ୍ଦିର ପରିସରରେ ୨୦,୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ
ଭୁବନେଶ୍ୱର,୧୮/୧୧/୨୦୨୫ (ଓଡ଼ିଶା ସମାଚାର)- ପବିତ୍ର ଦେବ ଦୀପାବଳି ଉପଲକ୍ଷେ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରଠାରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଏକ ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ କୋଡିଏ ହଜାର ଘିଅଦୀପ ପ୍ରଜ୍ଜ୍ୱଳନ କରାଯିବ । ବୁଦ୍ଧ ମନ୍ଦିରଠାରେ ହାପି ଲିଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ବିଦ୍ୱାନ, ସମାଜସେବୀ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାମରେ ସମ୍ପୃକ୍ତ କରାଯାଇଛି ।
ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଧଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ଆଦି ତିନି ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଚତୁର୍ଦ୍ଧଶୀ ଦିନ ମାତା ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଲ ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ , ବାସୁଦେବ , ଇନ୍ଦ୍ରଦୁ୍ୟମ୍ନ ଓ ମା ଗୁଣ୍ଡିଚାଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି ।
ସେହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣକରି ବିଗତ ୯ ବର୍ଷ ହେବ ହାପିଲିଭିଙ୍ଗ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱଶାନ୍ତି ଓ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପଦାନ କରାଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆସନ୍ତା ୨୦ ତାରିଖ ସଂନ୍ଧ୍ୟା ୫ଟାରେ ୟୁନିଟ୍-୩, ଶ୍ରୀରାମ ମନ୍ଦିର ପରିସରରେ ୨୦,୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁକେଶ ମାହାଲିଙ୍ଗ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅନୁଷ୍ଠାନର ପ୍ରତିଷ୍ଠାତା ବାସ୍ତୁବିତ୍ ଡ. ମନୋଜ ଲେଙ୍କା କହିଲେ ଯେ ଏହି ଦିନ ପରିବାରର ମଙ୍ଗଳ ପାଇଁ ଓଡିଶାର ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତା ଓ ଗୁରୁ ଗୁରଜନଙ୍କ ଉଦ୍ଧେଶ୍ୟରେ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାରର ମଙ୍ଗଳ ହେବ । ଫାଉଣ୍ଡେସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଇଞ୍ଜିନିୟର ସନ୍ତୋଷ ସ୍ୱାଇଁ ଏବଂ ହାପି ଲିଭିଙ୍ଗ ଫାଉଣ୍ଡେସନର କାର୍ଯ୍ୟକାରୀ ସମ୍ପାଦକ ପ୍ରଭାତ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ
ସଫଳ କରିବା ପାଇଁ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି ।
