କଳାହାଣ୍ଡି, ୨୩/୦୭/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ): ସମୟ ଥିଲା, ଗାଁ ର ସକାଳ ଆରମ୍ଭ ହେଉଥିଲା ବଳଦର ଘଣ୍ଟିର ଶବ୍ଦ ଓ ହଳ ଧରି ଜମିକୁ ଯାଉଥିବା ଚାଷୀଙ୍କ ପଦଧ୍ୱନିରେ । ଆଜି ସେହି ଚିତ୍ର ବଦଳିଯାଇଛି । ହଳର ସ୍ଥାନ ନେଇଛି ଟ୍ରାକ୍ଟର, ପାଓ୍ବାର ଟିଲର, ରୋଟାଭେଟର, ଧାନ ରୋପଣ ମେସିନ୍ ଓ ହାରଭେଷ୍ଟର। ପ୍ରଯୁକ୍ତି ଚାଷକୁ ଦ୍ରୁତ କରିଛି, କିନ୍ତୁ ଚାଷୀଙ୍କ ଜୀବନକୁ ସେତେଟା ସହଜ କରିପାରିନାହିଁ । ଆଜିର ଚାଷୀ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି, କିନ୍ତୁ ସେଥି ପାଇଁ ବଢ଼ୁଥିବା ଡିଜେଲ ଦର, ବିହନ, ସାର, କୀଟନାଶକ ଓ ଯନ୍ତ୍ରପାତିର ଭଡ଼ା ତାଙ୍କ ଉପରେ ଅସହ୍ୟ ଆର୍ଥକ ବୋଝ ସୃଷ୍ଟି କରୁଛି। ଚାଷରେ ଲାଗୁଥିବା ଖର୍ଚ୍ଚ ବର୍ଷକୁ ବର୍ଷ ବଢୁଥିବା ବେଳେ, ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।
ଅନେକ ସମୟରେ ବାଧ୍ୟ ହୋଇ ଚାଷୀମାନେ ଅଭାବୀ ଦରରେ ନିଜ ଉତ୍ପାଦ ବିକ୍ରି କରୁଛନ୍ତି। ଏହା ସହିତ ଅନିୟମିତ ବର୍ଷା, ଖରା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଚାଷକୁ ଆହୁରି ଅନିଶ୍ଚିତ କରିଦେଇଛି। କୃଷି ଋଣର ଭାର, ଋଣ ଛାଡ଼ର ସୀମିତ ସୁବିଧା ଏବଂ ବଜାର ବ୍ୟବସ୍ଥାର ଦୁର୍ବଳତା ଅନେକ ଚାଷୀଙ୍କୁ ଗଭୀର ଆର୍ଥିକ ସଙ୍କଟରେ ପକ।ଇ ଦେଉଛି। ଏହି ଆର୍ଥିକ ଚାପ କେତେକ ପରିବାର ପାଇଁ ଏତେ ଅସହ୍ୟ ହୋଇପଡ଼ୁଛି ଯେ, କିଛି ଚାଷୀ ନିରାଶାର ଚରମ ସୀମାକୁ ପହଞ୍ଚି ଜୀବନ ପ୍ରତି ଆଶା ହରାଇ ବସୁଛନ୍ତି।
ଏହା କେବଳ ଜଣେ ବ୍ୟକ୍ତିର ନୁହେଁ, ସମଗ୍ର କୃଷି ବ୍ୟବସ୍ଥାର ଏକ ଗଭୀର ଚିନ୍ତାର ବିଷୟ। ଦେଶର ଅନ୍ନ ଦାତାଙ୍କ ପରି ଶ୍ରମରେ ପ୍ରତ୍ୟେକ ଘରକୁ ଅନ୍ନ ପହଞ୍ଚୁଛି । କିନ୍ତୁ ସେହି ଚାଷୀ ଯଦି ନିଜ ପରିବାରର ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ ରୁହନ୍ତି, ତେବେ କୃଷିର ଆଧୁନିକୀକରଣ ଅଧୂରା ରହିଯିବ। ସରକାରଙ୍କ ପକ୍ଷରୁ ନ୍ୟାୟସଙ୍ଗତ ସହାୟକ ମୂଲ୍ୟ, ସହଜ କୃଷି ଋଣ, ସୁଲଭ ଦରରେ ବିହନ ଓ ସାର, ଡିଜେଲରେ ରିହାତି, ଫସଲ ବୀମା ଏବଂ ସୁଦୃଢ଼ ବଜାର ବ୍ୟବସ୍ଥା ସୁନିଶ୍ଚିତ ହେଲେ ହିଁ ଚାଷୀଙ୍କ ଜୀବନରେ ପ୍ରକୃତ ପରିବର୍ତ ନ ଆସିପାରିବ।
‘ହଳ ବଦଳିଛି, ବଳଦ ବଦଳିଛି, ବଦଳିଛି ଚାଷର ରୂପ କିନ୍ତୁ ଅନ୍ନଦାତାଙ୍କ ଝାଳ ବୁହା ପରିଶ୍ରମର ମୂଲ୍ୟ ଓ ଜୀବନର ସଂଘର୍ଷ ଆଜି ମଧ୍ୟ ପ୍ରାୟ ଅପରିବର୍ତ୍ତିତ ରହିଛି।
