ପବିତ୍ର ରମଜାନ୍ ବା ରୋଜା ମାସ ଆରମ୍ଭ ଅବସରରେ ମସଜିଦ୍ କମିଟି ପକ୍ଷରୁ ଇଫତାର ପାର୍ଟି

ଭୁବନେଶ୍ୱର, ୦୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଇସଲାମ୍ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନ । ଏହି ମାସରେ ମୁସଲମାନ ଭାଇଭଉଣୀମାନେ ରୋଜା ରଖନ୍ତି । ସୂର୍ଯେ୍ୟାଦୟ ପୂର୍ବରୁ ସୂର୍ଯ୍ୟାସ୍ତ ମଧ୍ୟରେ ସେମାନେ କୌଣସି ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପାଣି ପିଅନ୍ତି ନାହିଁ । ଅର୍ଥାତ୍ ସେମାନେ ଖରା,ବର୍ଷା, ଶୀତ,କାକର ଆଦିକୁ ଖାତିର ନ କରି ପୂରା ନିର୍ଜଳା ରହି ମାସେ ପର୍ଯ୍ୟନ୍ତ ସାରାଦିନ ଉପବାସ କରି ବ୍ରତ କରନ୍ତି । ଏହାଛଡା ପୂରା ମାସଯାକ ରାତି ୮ଟାରୁ ୧୦.୦୦ଘଟିକା ପର୍ଯ୍ୟନ୍ତ ମସଜିଦ୍ ରେ ନମାଜ ପାଠ କରନ୍ତି । ଏହି ସମୟରେ ସେମାନେ ଇଫତାର ପାର୍ଟି କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରସ୍ଥ ମସଜିଦ୍ କମିଟି ତରଫରୁ ଏକ ଇଫତାର ପାର୍ଟିର ଆୟୋଜନ ସୟଦ୍ ରାଜୁଙ୍କ ତତ୍ୱାବଧାନରେ ନିଳାଦ୍ରୀବିହାରସ୍ଥିତ ହରେକୃଷ୍ଣ ନଗର ବସ୍ତିରେ କରାଯାଇଥିଲା । ଏହି ଇଫତାର ପାର୍ଟିରେ ମସଜିଦ୍ କମିଟିର ସମ୍ପାଦକ ସୟଦ୍ ରାଜୁଙ୍କ ସମେତ ଉପ-ସଭାପତି ମାନା ବାବୁ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ବିଧାୟକ ସୁଶାନ୍ତ ରାଉତ,ୱାର୍ଡ ନମ୍ବର -୪ର କର୍ପୋରେଟର ଅକ୍ଷୟ ଭାଦ, ସୁବାଶ ଭାଦ, ଏସ୍.କେ ଦିଲ୍ଲାର ଅହମ୍ମଦ, ଏସ୍.କେ ସୌଭିକ୍, ଏସ୍.କେ ଆଜାଦ୍ ଅଲ୍ଲୀ, ସେଖ୍ ଜାପାନ, ସୟଦ୍ ମୁର୍ସିଦ୍, ଏସ୍.କେ ରହିମ୍,ଏସ୍.କେ ଆଜାଦ୍, ଏସ୍.କେ କରିମ୍, ଇଫତିଖାର ହୁସେନ୍ ଖାନ୍,ଏସ୍.କେ ଲୁମହା ସାଲିମ୍ ମିରତାଜୁଦ୍ଧିନ୍, ଏସ୍.କେ ଡନ୍, ଟିଙ୍କୁ,ଏସ୍.କେ ସଦ୍ଧାମ୍, ଏସ୍.କେ ଲମ୍ବୁ ଏବଂ ମହମ୍ମଦ ଇବ୍ରାହିମ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଇଫତାର ପାର୍ଟିରେ ଓଡିଶାର ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ମୁସଲମାନ ଛାତ୍ରଛାତ୍ରୀମାନଙ୍କ ସମେତ ୩୦୦ରୁ ଉଦ୍ଧ୍ୱର୍ ମୁସଲମାନ ଭାଇଭଉଣୀମାନେ ଯୋଗ ଦେଇ ସେମାନଙ୍କର ଓଷା ଫିଟାଇଥିଲେ । ଏତଦ୍ ବ୍ୟତୀତ ବଙ୍ଗଳାଦେଶ, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ଥାନ ଆଦି ବହୁ ବିଦେଶୀ ମୁସଲମାନ ଭାଇଭଉଣୀମାନେ ମଧ୍ୟ ଏହି ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ପର୍ବ ମାସେ କାଳ ପାଳିବା ପରେ ଚନ୍ଦ୍ରକୁ ଦେଖି ଇଦ୍- ଉଲ୍ – ଫିତର ପାଳନ କରାଯାଇଥାଏ । ଏହି ଦିନ ସମସ୍ତେ ନବ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା, ପଣା କରି ଖାଇବା ସହ ଗରିବ ଲୋକମାନଙ୍କୁ ଖାଦ୍ୟଦ୍ରବ୍ୟ , ଲୁଗାପଟା ଏବଂ ଅନ୍ୟାନ୍ୟ ଆସବାପତ୍ର ଆଦି ଦାନ କରି ପୂର୍ଣ୍ଣ୍ୟ ଅର୍ଜ୍ଜନ କରିଥାଆନ୍ତି । ଏହି ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀମାନେ ଗୁରୁଜନମାନଙ୍କୁ ଭକ୍ତି କରିବା ସହ ସଲାମ୍ ଜଣାଇ “ଇଦ୍ ମୁବାରକ୍” ବୋଲି କହି ଥାଆନ୍ତି ଏବଂ ବିଶ୍ୱର ମଙ୍ଗଳ ପାଇଁ ଉଭୟ ମହମ୍ମଦ ଓ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥାଆନ୍ତି । ଏବର୍ଷ ଚଳିତମାସ ୧୧ ତାରିଖରେ ଓଷା ଶେଷ ହେବାକୁ ଯାଉଛି । ଏହି ରମଜାନ୍ ମାସ ପାଳନ ସମୟରେ ସେମାନେ ପ୍ରତ୍ୟେକ ଦିନ ୫ଥର ନମାଜ ପାଠ କରିଥାଆନ୍ତି । ଏହି ସମୟରେ ସମସ୍ତ ମୁସଲମାନ ଭାଇଭଉଣୀମାନେ ନିଜ ନିଜର ସ୍ଥାନୀୟ ମସଜିଦ୍ କୁ ଯାଇ ମସଜିଦ୍ ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ କରିବା ସହ ସେଠାରେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ମୌଲବୀଙ୍କ ଜରିଆରେ ସେମାନଙ୍କର ଓଷା ଫିଟାଇ ଥାଆନ୍ତି ଏବଂ ରାତି ୮ଟା ବେଳକୁ ସମୂହ ନମାଜ ପାଠ କରିବା ସହ ଫଳମୂଳ ଆହାର କରି ମିଶ୍ରି ପାଣି ଓ ଲେମ୍ବୁ ସର୍ବତ ଆଦି ପିଇ ଦୁଃଖି ରଙ୍କିକୁ ଦାନ ଧର୍ମ କରି ଥାଆନ୍ତି । ସମଗ୍ର ମୁସଲମାନ ଭାଇଭଉଣୀମାନଙ୍କ ପାଇଁ ଏହି ରମଜାନ୍ ମାସ ସାରା ପୃଥିବୀରେ ଅତୀବ ପବିତ୍ର ମାସ ବା ଧର୍ମର ମାସ ଅଟେ ।

Leave a Reply

Your email address will not be published. Required fields are marked *