ଜିଲା କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ୧୪/୧୧/୨୦୨୫(ଓଡ଼ିଶା ସମାଚାର)- ଜିଲା କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୬ ତମ ଜୟନ୍ତୀ ସହରର କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ କହିଲେ ଜବାହରଲାଲ ନେହେରୁଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ ଥିଲା । ତାଙ୍କ ଅବଦାନ ସମ୍ପର୍କରେ ବର୍ତମାନର ଯୁବପୀଢି ଅଧ୍ୟୟନ କରିବା ଆବଶ୍ୟକ ।

ଭାରତରେ ଆଜି ଯାହା ବିକାଶ ଦେଖୁଛନ୍ତି ତାହାର ବିଶ୍ୱକର୍ମା ଥିଲେ ପଣ୍ଡିତ ନେହେରୁ । ତାଙ୍କ ଭଳି ଜନନେତା ବର୍ତମାନ ସମୟରେ ଦେଶରେ ବିରଳ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଯୋଗଦେଇ କହିଲେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରାଜନୈତିକ ବିଚକ୍ଷଣତା ସଂକ୍ରାନ୍ତରେ ବର୍ତମାନର ରାଜନେତାମାନେ ଅଧ୍ୟୟନ କରୁ ନାହାଁନ୍ତି । ତେଣୁ କେହି ତାଙ୍କ ଭଳି ଦକ୍ଷ ରାଜନେତା ହୋଇ ପାରୁନାହାଁନ୍ତି ।

ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଜିଲା କିସାନ କଂଗ୍ରେସ ସଭାପତି ଜୟଦେବ ପରିଡ଼ା, ମହାକାଳପଡ଼ା କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଗୀରଥୀ ଜେନା, ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, ବିଧୁଭୂଷଣ ମହାପାତ୍ର, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ ପ୍ରମୁଖ ଦଳର ଶତାଧିକ ତୃଣମୂଳସ୍ତରର ନେତୃତ୍ୱ ଓ କର୍ମୀମାନେ ଉପସ୍ଥିତ ରହି ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *