ସମ୍ବଲପୁର, ୨୮/୭/୨୦୨୪ (ଓଡ଼ିଶା ସମାଚାର)- ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ରବିବାର ୩ଟି ପର୍ଯ୍ୟାୟରେ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ୬ଟି ଗେଟ୍ ସହ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡାହାଣ ପଟେ ୬ଟି ଓ ବାମ ପାର୍ଶ୍ୱରେ ୧୪ଟି ଗେଟ୍ ଖୋଲାଯାଇଛି। ଯେହେତୁ ଡ୍ୟାମ ଭିତରକୁ ବନ୍ୟାଜଳର ପ୍ରବେଶ ବଢୁଛି, ତେଣୁ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କିନ୍ତୁ ଏବେ ନୁହେଁ । ଆସନ୍ତାକାଲି ଜଳସ୍ତରକୁ ଦେଖି ଅଧିକ ଗେଟ୍ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି ।
ଅପରପକ୍ଷେ, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା କହିଛନ୍ତି । ସେ କହିଛନ୍ତି, ୨୦ଟି ଗେଟ୍ ଖୋଲାଯିବା ଫଳରେ ସୋମବାର ସକାଳ ୮ଟା ସୁଦ୍ଧା ଖଇରମାଳଠାରେ ୪.୫୦ ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ।
ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସତର୍କ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ୯ଟି ଜିଲାର ଜିଲାପାଳମାନଙ୍କୁ ସତର୍କ କରାଇଛନ୍ତି। ସମ୍ବଲପୁର, ସୋନପୁର, ବୌଦ୍ଧ ନୟାଗଡ଼, ଅନୁଗୁଳ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଏ ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ପଶୁମାନଙ୍କୁ ମଧ୍ୟ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ନ ଛାଡିବା ପାଇଁ କୁହାଯାଇଛି। ଜିଲାପାଳମାନେ ମଧ୍ୟ ସତର୍କ ରହିବାସହ ସ୍ଥିତି ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।
ରବିବାର ଜଳଭଣ୍ଡାରରୁ ସ୍ଲୁଇସ ଗେଟ ମାଧ୍ୟମରେ ଚଳିତ ଋତୁର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିପାଇଁ ଗତ ଦୁଇଦିନ ହେଲା ମହାନଦୀ ଅବବାହିକାରେ ବସବାସ କରୁଥିବା ଅଧିବାସୀଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ରହିବାକୁ ସୂଚନା ଦିଆଯାଉଛି।
ମୁଖ୍ୟଯନ୍ତ୍ରୀ ମହାନଦୀ ବେସିନ ଇଂ. ସୁଶୀଳ କୁମାର ବେହେରା କହିଛନ୍ତି, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧିପାଇଛି। ନିୟମ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୫ ଫୁଟ୍ ରୁ ପ୍ରାୟ ୧୦ ଫୁଟ ଅଧିକ ରହିଥିବାରୁ ସ୍ଲୁଇସ ଗେଟ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯିବ। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୦୫ ଅତିକ୍ରମ କଲେ ସ୍ଲୁଇସ ଗେଟ ମାଧ୍ୟମରେ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।