Odisha Latest Political News : ବିଜେପି ପକ୍ଷରୁ କେନ୍ଦ୍ରାପଡାର ୩ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା

ଆଳିରୁ କୃଷ୍ଣଚନ୍ଦ୍ର, ପାଟକୁରାରୁ ତେଜେଶ୍ୱର ଓ ମହାକାଳପଡାରୁ ଦୁର୍ଗାପ୍ରସନ୍ନ ପ୍ରାର୍ଥୀ
କେନ୍ଦ୍ରାପଡ଼ା, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି । ସେହିଭଳି ଭାବେ ବିଜେପି ପକ୍ଷରୁ ରାଜ୍ୟର ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ସେଥିରେ କେନ୍ଦ୍ରାପଡା ଜିଲାର ୩ଟି ଆସନ ପାଇଁ ନାମ ଘୋଷଣା କରାଯାଇଛି । ଆଳି ବିଧାନସଭା କ୍ଷେତ୍ର ପାଇଁ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପାଟକୁରା ବିଧାନସଭା ଆସନ ପାଇଁ ତେଜେଶ୍ୱର ପରିଡା ଓ ମହାକାଳପଡା ବିଧାନସଭା ଆସନ ପାଇଁ ଡ. ଦୂର୍ଗା ପ୍ରସନ୍ନ ନାୟକଙ୍କ ନାମ ଘୋଷଣା ହୋଇଛି । ଶ୍ରୀ ପଣ୍ଡା ଗତ ୨୦୧୭ ମସିହାରେ ପୋଲିସ ଚାକିରିରୁ ଅବସର ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଜଡିତ ରହିି ସମାଜସେବା କାର୍ଯ୍ୟ କରି ଆସୁଛନ୍ତି । ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିବା ବେଳେ ବର୍ତମାନ ଜିଲା ବିଜେପିର ଉପସଭାପତି ଅଛନ୍ତି । ସେ ଆଳିରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମରତ ଅଛନ୍ତି । ଶ୍ରୀ ପଣ୍ଡା ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ସଦସ୍ୟ ମଧ୍ୟ । ପାଟକୁରାର ଶ୍ରୀ ପରିଡା ଜଣେ ଉଚ୍ଚଶିକ୍ଷିତ ଯୁବକ ଅଟନ୍ତି । ସେ ୧୦ବର୍ଷ ତଳେ ବିଜୁଜନତା ଦଳରେ ଯୋଗ ଦେଇ ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ ରହି କାର୍ଯ୍ୟ ନିର୍ବାହ କରିଥିଲେ । ବିଜେଡି ମୁଖପାତ୍ର ଭାବେ ମଧ୍ୟ ସେ ଏକ ଚର୍ଚ୍ଚିତ ଚେହେରା ଥିଲେ । ବିଗତ ନିର୍ବାଚନରେ ତାଙ୍କୁ ବିଜେଡି ପକ୍ଷରୁ ଟିକଟ ପ୍ରଦାନ କରାନଯିବାରୁ ସେ ବିଜେପିରେ ଯୋଗ ଦେଇ ଦଳୀୟ ମୁଖପାତ୍ର ଭାବେ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି । ଏଥିସହିତ ସେ ପାଟକୁରା ବିଧାନସଭା କ୍ଷେତ୍ରରେ ସଂଗଠନ ଜାରି ରଖିଛନ୍ତି । ସେହିଭଳି ଭାବେ ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଭାବେ ଘୋଷିତ ଡ. ନାୟକ ଏକ ଫାର୍ମାସିଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଗତ ୨୦୧୮ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସମ୍ପାଦକ ଭାବେ ଦାୟୀତ୍ୱ ଦିଆଯାଇଥିଲା । ବର୍ତମାନ ସେ ସେହି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତମାନ ସେ ଫାର୍ମାସିଷ୍ଟ ମହାବିଦ୍ୟାବିଦ୍ୟାଳୟର ପରିଚାଳନା ନିର୍ଦ୍ଧେଶକ ମଧ୍ୟ ଅଛନ୍ତି । ସେ ଜଣେ ଶିଳ୍ପପତି ପରିବାରର ହୋଇଥିବା ବେଳେ ତାଙ୍କ ଦାଦା ଗନ୍ଧର୍ବ ନାୟକ ୨୦୦୯ରେ ବିଜେପି ପ୍ରାର୍ଥୀ ଭାବେ ମହାକାଳପଡା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ।

Leave a Reply

Your email address will not be published. Required fields are marked *