ଭୁବନେଶ୍ବର, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଦୁଇ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଚିହ୍ନଟ କୋଭିଡ୍ ଆକ୍ରାନ୍ତ ଜଣକ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ହେବା ପରେ ତାହା ସ୍ପଷ୍ଟ ହେବ। ଏବେ ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ଗତ ଶନିବାର ଦିନ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ମାସ ୩ ତାରିଖରେ ରାଜ୍ୟରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସମସ୍ତ ତିନି ଜଣଙ୍କ ଲକ୍ଷଣ କମ ଅଛି। ସେମାନଙ୍କର କେବଳ ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନାହାନ୍ତି. ଘରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇ ରୋଗୀ କଟକର। ତୃତୀୟ ରୋଗୀ ଗତକାଲି ଚିହ୍ନଟ ହୋଇଛି। ତାଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ। ତୃତୀୟଙ୍କ ଯାଞ୍ଚ ଚାଲିଛି। ସର୍ଭେଲାନ୍ସ ଆହୁରି ବଢ଼ାଯିବ। ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସତର୍କତା ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।
ରାଜ୍ୟରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି
