ଦୁଇଟି ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକା, ୩ ଗୁରୁତର ଆହତ

ଗରଦପୁର, ୦୭/୧୧/୨୦୨୫(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଗରଦପୁର- ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଓଁ ଶାନ୍ତି ଆଶ୍ରମ ନିକଟରେ ଆଜି ରାତି ୧୦ ଟା ବେଳେ ଦୁଇଟି ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକା ଲାଗିଛି । ଫଳରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପାଟକୁରା ମେଡ଼ିକାଲ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପଦ୍ମପୁର ଗ୍ରାମର ସୁନୀଲ ରାଉତ (୩୨), ଡ଼ାହାଳପୁର ଗ୍ରାମର ରଘୁନାଥ ସ୍ୱାଇଁ(୪୫) ଓ ସେହି ଗ୍ରାମର ମାନସ ପ୍ରଧାନ (୩୫) ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ମର୍ମୁଷୁ ଅବସ୍ଥାରେ ଥିବା ରଘୁନାଥ ସ୍ୱାଇଁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବାବେଳେ ଗୁରୁତର ଆହତ ସୁନୀଲ ରାଉତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ମାନଓ ପ୍ରଧାନ ଙ୍କୁ ପାଟକୁରା ମେଡ଼ିକାଲ ରେ ଚିକିତ୍ସା କରାଯାଇଛି ।

ତେବେ ଗୋଟିଏ ବାଇକ୍ ରେ ସୁନୀଲ ନୂଆପଡ଼ା ଦିଗରେ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ରଘୁନାଥ ଓ ମାନସ ଙ୍କ ବାଇକ୍ ଗରଦପୁର ଗୋବରା ଛକ ର ଅନତି ଦୂରରେ ଥିବା ଓଁ ଶାନ୍ତି ଆଶ୍ରମ ନିକଟରେ ପରସ୍ପର ଧକା ଲାଗିଥିଲେ । ବାଇକ୍ ଦୃତ ଗତିରେ ଥିବାରୁ ୩ ଜଣ ଯାକ ପିଚୁ ରାସ୍ତାରେ ଛିଟିକି ପଡ଼ିଥିଲେ । ଦୁଇଟି ବାଇକ୍ ଭାଙ୍ଗିରୁଜି ଯାଇଥିବାବେଳେ ସୁନୀଲ ଓ ରଘୁନାଥଙ୍କର ଛାତି , ମୁହଁ, ମୁଣ୍ଡ , ହାତ ରେ ଗୁରୁତର ଆଘାତ ଲାଗିଛି ।

ମାନସ ଅପେକ୍ଷାକୃତ କମ ଆହତ ହୋଇଥିଲେ । ତିନିଜଣ ଙ୍କୁ ୧୦୮ ଆମ୍ବୁଲାନ୍ସ ରେ ପାଟକୁରା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁର୍ମୁଷୁ ଅବସ୍ଥାରେ ଥବବା ରଘୁନାଥ ଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଥିବାବେଳେ ସୁନୀଲ ଙଘ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଖବର ଲେଖାହେବା ବେଳକୁ ରଘୁନାଥଙ୍କର କେନ୍ଦ୍ରାପଡ଼ା ମେଡ଼ିକାଲରେ ମୃତ୍ୟୁ ହୋଇଯାଇଥିବା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *