କେନ୍ଦ୍ରାପଡା ଓ ମହାକାଳପଡାରେ ହେବ ରାଷ୍ଟ୍ରୀୟ ଏକତା ପଦଯାତ୍ରା

କେନ୍ଦ୍ରାପଡ଼ା,୦୭/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦୁଇଟି ସ୍ଥାନରେ ଲୌହ ମାନବ ସର୍ଦ୍ଧାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୧୦ତାରିଖରେ କେନ୍ଦ୍ରାପଡ଼ା ସଦରମହକୁମା ଏବଂ ୨୦ ତାରିଖରେ ମହାକାଳପଡ଼ାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲାପାଳ ରଘୁରାମ ଆର. ଆୟର । ଚଳିତ ବର୍ଷ ସର୍ଦ୍ଧାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟବ୍ୟାପି ତାଙ୍କର ଦେଶପ୍ରେମ,ଏକତା ଏବଂ ସେବା ମନୋଭାବକୁ ସ୍ମରଣ କରିବା ଉଦ୍ଧେଶ୍ୟ ନେଇ ରାଜ୍ୟବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ଏକତା ପଦଯାତ୍ରାର ଆୟୋଜନ କରାଯାଉଛି । ୧୦ ତାରିଖ ସକାଳ ୮ଟାରେ କେନ୍ଦ୍ରାପଡ଼ା ସଦରମହକୁମାସ୍ଥିତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏହି ପଦଯାତ୍ରା ବାହାରି ତିନିମୁହାଣୀ-ଗରାପୁର ଡାକ ବଙ୍ଗଳା ଛକ -କେନ୍ଦ୍ରାପଡ଼ା ହାଇସ୍କୁଲ ଓ ନୂଆ ବସଷ୍ଟାଣ୍ଡ ଦେଇ ପୁଣି ସ୍ୱଂୟଶାସିତ ମହାବିଦ୍ୟାଳୟରେ ପହଂଚିିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବେ । ସେହିପରି ୨୦ ତାରିଖରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ସ୍ଥିତ ପଦଯାତ୍ରା ଅଙ୍ଗୁଳାଇ ବିଦ୍ୟାଳୟ ନିକଟରୁ ବାହାରି ପସ୍ତା -ବୀଣାପାଣି ଛକ ଦେଇ ଅଳିଆଠାରେ ସମାପନ ହେବ । ଏହି ପଦଯାତ୍ରାରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ ।

ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଏବଂ ରେଙ୍ଗାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପଦଯାତ୍ରାରେ ସମାଜର ସମସ୍ତ ବର୍ଗ ଯୋଗଦେଇ ହୋଇ ରାଷ୍ଟ୍ର ଗଠନ,ଏକତାକୁ ସୁଦୃଢ କରି ଏକ ଭାରତ ଏବଂ ଆତ୍ମ ନିର୍ଭର ଭାରତ ଗଠନରେ ସାମିଲ ହେବାପାଇଁ ଅନୁରୋଧ କରାଯାଇଛି । ପଦଯାତ୍ରାରେ ସ୍ୱଦେଶ ଏବଂ ଆଂଚଳିକ ଦ୍ରବ୍ୟର ସ୍ଥାନେ ସ୍ଥାନେ ଷ୍ଟଲ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ,ମାଇଁ ଭାରତ ସଂଯୋଜକ ତିରୁପତି ଗଲୁରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *