କେନ୍ଦ୍ରାପଡ଼ା,୦୭/୧୧/୨୦୨୫(ଓଡ଼ିଶା ସମାଚାର)-କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ )ନବକ୍ରିଷ୍ଣ ଜେନା, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ଜୀବନାନନ୍ଦ ସାହୁ,କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, ଶ୍ରୀଧର ପ୍ରସାଦ ପ୍ରଧାନ, ମାର୍ଶାଘାଇ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ଅନ୍ନ ଅଭିଯାନ ରଥର ଶୁଭାରମ୍ଭ କରିଥିଲେ । ଏହି ରଥଟି କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକ ପରିକ୍ରମା କରିବ । ପରେ ଅତିଥି ମାନେ ଶ୍ରୀ ଅନ୍ନ
ଅଭିଯାନ ଏବଂ ମାଣ୍ଡିଆ ଦିବସ ଅବସରରେ ଆୟୋଜିତ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ । ବୈଠକରେ ଅତିଥି ମାନେ କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକା ସମ୍ପର୍କରେ ମତ ରଖିବା ସହ ଘରୋଇ ସ୍ତରରେ ଶ୍ରୀ ଅନ୍ନ (ପୁଷ୍ଟିଶସ୍ୟ) ଶସ୍ୟ ଭିତିକ ବ୍ୟବହାରକୁ ପ୍ରତ୍ସାହିତ କରିବା, ଗ୍ରାମାଂଚଳ ଓ ସହରାଂଚଳରେ ପୁଷ୍ଟି ଶସ୍ୟ ଭିତିକ ଖାଦ୍ୟ ସଂସ୍କୃତିକୁ ପୁନଃରୁଦ୍ଧାର କରିବା ଏବଂ ଓଡିଶାକୁ ଦେଶର ମିଲେଟ ହବରେ ପରିଣତ କରିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ ।
ସାଧାରଣ ବଂଟନ ବ୍ୟବସ୍ଥା, ସମନ୍ୱତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ, ଆବାସିକ କେନ୍ଦ୍ର ଆଦି ଗୁଡିକରେ ଶ୍ରୀ ଅନ୍ନର ଅନ୍ତର୍ଭୁକ୍ତିକରଣ କରିବା ଶ୍ରୀ ଅନ୍ନ ଯୋଜନାର ମୁଖ୍ୟ ଲକ୍ଷ୍ୟ । ସୂଚନା ଯୋଗ୍ୟ ଯେ, ଓଡିଶାର ୩୦ ଟି ଜିଲାର ୧୭୭ ଗୋଟି ବ୍ଲକରେ ଶ୍ରୀ ଅନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଏବଂ ଡେରାବିଶ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମାଣ୍ଡିଆ,ବାଜରା ଆଦି ପୁଷ୍ଟିଶସ୍ୟ ମଣିଷ ଦେହକୁ ବହୁତ ମାତ୍ରାରେ ପୃଷ୍ଟି ଯୋଗାଇଥାଏ ଯାହାକି ମଣିଷକୁ ହୃଷ୍ଠପୁଷ୍ଟ କରିଥାଏ । ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହିଳା, କୃଷକ, ସଫଳ ଚାଷୀ, ସାଧାରଣଜନତା, ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଘଠନ କର୍ମକର୍ତା ଏବଂ କୃଷି ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
