ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଲା
ଯାଜପୁର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ରାମଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡରା ପରିସରରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ସମଗ୍ର ଶିକ୍ଷା, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି । 
ଏଥିରେ ୩୧ ଟି ପ୍ରତିଯୋଗିତାରେ ବ୍ଲକ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ୧୦ଟି ବ୍ଲକରୁ ୩୫୭ ଜଣ ଛାତ୍ରଛାତ୍ରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ବକ୍ତୃତା, ପ୍ରବନ୍ଧ, ସଂଗୀତ, ନୃତ୍ୟ, ଚିତ୍ରାଙ୍କନ, ସୁଲିଖନ ଆଦି ପ୍ରତିଯୋଗିତା ମାନଙ୍କରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜ଼ିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନା କରିବା ସହ ପ୍ରତ୍ୟେକ ମଣିଷ ଜୀବନର ମୁଖ୍ୟ ସମୟ ଜନ୍ମ ଓ ମୃତ୍ୟୁର ମଧ୍ୟବର୍ତ୍ତୀ ଅଂଶ ଅଟେ ବୋଲି ମତ ପୋଷଣ କରିଥିଲେ । ଏହି ସମୟରେ ମଣିଷ ନିଜର ପରିଚୟ ସୃଷ୍ଟି କରିପାରିବା ସହ ନିଜକୁ ଏକ ପ୍ରତିଷ୍ଠିତ ନାଗରିକ କରି ଗଢି ତୋଳେ । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ଗଠନରେ ସେମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ଦିନ ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଆଣି ଦିଏ, ଆଉ ସେହି ସୁଯୋଗକୁ କେହି ହାତଛଡା କରିବା ଉଚିତ ନୁହେଁ ।
ଆଜିର ସମୟରେ ପିଲାମାନଙ୍କୁ ଘୋଷା ପ୍ରଣାଳୀରେ ଶିକ୍ଷାଦାନ ଦିଆ ନ ଯାଇ ମନୋରଞ୍ଜନ ମାଧ୍ୟମରେ ଏବଂ ବିଦ୍ୟାଳୟରେ ବିଭିନ୍ନ ଉପକରଣ ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଛି । ଯାହାଦ୍ୱାରା ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହେଉଛି ।
ମୁଖ୍ୟ ବକ୍ତା ରୂପେ ଯାଜପୁର ମୁନସିପାଲିଟି ଅଧକ୍ଷା ରଞ୍ଜୁଲତା ହୋତା ପିଲାମାନେ ସୋସିଆଲ ମିଡ଼ିଆରୁ ଦୁରେଇ ରହି ପାଠ ପଢ଼ାରେ ମନ ଦେବା ସହ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିବାକୁ ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ରୂପେ ଦଶରଥପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଷାରକାନ୍ତି ମିଶ୍ର ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଭାଗ ନେବା ପାଇଁ ମନୋନୀତ ହେଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ଏସ ଟି ଏସି ସି କୋଅର୍ଡିନେଟର ଜ୍ୟୋତ୍ସାମୟୀ ଧଳଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ବିଭିନ୍ନ କାର୍ଯ୍ୟକୁ ତଦାରଖ କରିଥିଲେ । ରାମଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି, ସଦସ୍ୟ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ମାନଙ୍କର ଆନ୍ତରିକ ସହଯୋଗ ଏବଂ ସି ଆର ସି ସି, ଅନ୍ୟ ବିଦ୍ୟାଳୟରୁ ଦାୟିତ୍ୱରେ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂର୍ଣ୍ଣାଙ୍ଗ ସହଯୋଗରେ କାର୍ଯ୍ୟକ୍ରମଟି ସରସ ଓ ସୁନ୍ଦର ହୋଇଥିଲା ।


