କେନ୍ଦ୍ରାପଡ଼ା,୦୬/୧୧/୨୦୨୫(ଓଡ଼ିଶା ସମାଚାର)-ଜିଲା ସଂସ୍କୃତି ଭବନରେ ଗୁରୁବାର ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଶିଶୁ ହସିଲେ ଦେଶ ହସିବ । ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ସୁରଭି । ଏହି ଉପଲକ୍ଷେ ଜିଲାପ୍ରଶାସନ ଓ ଜିଲା ସମଗ୍ର ଶିକ୍ଷା ଅଭିଯାନ, କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ମହୋତ୍ସବରେ ଜିଲା ଶିକ୍ଷା ଅଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ପବିତ୍ର ମୋହନ ବାରିକ ଅଧ୍ୟକ୍ଷତା କରିଥିଲେ ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭସ୍ମିତା ତ୍ରିପାଠୀ, ସ୍ୱାଗତିକା ସ୍ୱାଇଁ ଓ ଦୀପ୍ତି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସୁରଭି ମହୋତ୍ସବକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ ବ୍ଲକରୁ ପ୍ରାୟ ୪ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ରଚନା, ବକୃତା, ଏଲୋକେସନ, ଚିତ୍ରକଳା, ସୃଜନଶୀଳ ଲିଖନ, ସଙ୍ଗୀତ ଓ ନୃତ୍ୟ ଇତ୍ୟାଦି ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଉକ୍ତ ସାତଗୋଟି ବିଭାଗର ଜୁନିଅର ଓ ସିନିୟର ବର୍ଗରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ୩୯ ଜଣ କୃତୀ ପ୍ରତିଯୋଗୀ ଚଳିତ ମାସ ୧୨, ୧୩ ଓ ୧୪ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲାର ୧୧ ଗୋଟି ପିଏମଶ୍ରୀ ସ୍କୁଲମାନଙ୍କ ମଧ୍ୟରେ ଜିଲାସ୍ତରୀୟ ମଡେଲ ପାର୍ଲିଆମେଂଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ରଘୁରାମ ଆର. ଆୟର ଜିଲାସ୍ତରୀୟ ମଡେଲ ପାର୍ଲିଆମେଂଟପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ ।
ଏହି ପ୍ରତିଯୋଗିତାରୁ ଚୟନ କରାଯାଇଥିବା ୨ ଜଣ କୃତୀ ପ୍ରତିଯୋଗୀ ୧୨ ଓ ୧୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ମଡେଲ ପାର୍ଲିଆମେଂଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାରେ ଭାଗ ନେବେ । ଅପରାହ୍ନରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, କେନ୍ଦ୍ରାପଡ଼ା ଉପ ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ) ଭାଗ୍ୟଲକ୍ଷ୍ମୀ ପୁହାଣ, ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
