କେନ୍ଦ୍ରାପଡ଼ା, ୦୪/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଦୀର୍ଘ ୭ବର୍ଷ ଧରି ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଂଚୁକବ୍ରତ ପାଳନର ବ୍ୟବସ୍ଥା କରାଯାଇଆସୁଅଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ସହିତ ଭଜନ ଓ ଜଣାଣ ଅନୁଷ୍ଠିତ ହେଉଛି । ଚତୁର୍ଥ ଦିବସରେ ହବିଷ୍ୟାଳୀ ମା’ମାନଙ୍କୁ ନାମାବଳୀ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଶ୍ରୀବଳଦେବଜୀଉ ଦେବୋତର ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଯୋଗଦେଇ କହିଛନ୍ତି ଯେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଶ୍ରୀମା’ ଆଜକୁ ୭ବର୍ଷ ତଳେ ସେମାନଙ୍କ ପାଇଁ ତୁଳସୀକ୍ଷେତ୍ରରେ ରହିବା, ଖାଇବା, ହବିଷ୍ୟବ୍ରତ ପାଳନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ ପ୍ରବଚନ ପ୍ରଭୃତିର ବ୍ୟବସ୍ଥା କରି ତୁଳସୀକ୍ଷେତ୍ରର ଗାରିମାକୁ ବୃଦ୍ଧି କରିଛନ୍ତି । ହବିଷ୍ୟାଳୀ ମା’ମାନଙ୍କ ରହିବା ପାଇଁ ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ରହିଛି । କେନ୍ଦ୍ରାପଡା ବିଧାୟକଙ୍କ ସହଯୋଗରେ ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ କାର୍ଯ୍ୟ ସମାପନ ହେବ ବୋଲି ସେ କହିଛନ୍ତି ।
ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ହବିଷ୍ୟାଳୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିବାରୁ ଆଶ୍ରମ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡର ସେବାୟତ ସଦସ୍ୟ ନୃସିଂହ ଚନ୍ଦ୍ର ପତ୍ରୀ ଯୋଗଦେଇ ଶ୍ରୀମା’ଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଦ୍ୱାରା ତୁଳସୀକ୍ଷେତ୍ରର ମହତ୍ୱ ବୃଦ୍ଧି ପାଉଛି ବୋଲି କହିଛନ୍ତି । ବଳଦେବସେନା ସଦାସର୍ବଦା ହବିଷ୍ୟାଳୀଙ୍କୁ ସେବା ପ୍ରଦାନ କରୁଥିବାରୁ ସେନାର ସଭାପତି ପୁପୁନ ସ୍ୱାଇଁ ଓ ତାଙ୍କ ସାଥୀ, ଧର୍ମଜାଗରଣ ସମନ୍ୱୟର କର୍ମକର୍ତା ମାନଙ୍କୁ ଆଶ୍ରମ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି । ଆସନ୍ତା ପୂର୍ଣ୍ଣମାରେ ପୂର୍ଣ୍ଣାହୂତି କରାଯିବା ସହିତ ସମସ୍ତଙ୍କୁ ବସ୍ତ୍ର ପ୍ରଦାନ କରାଯିବ ବୋଲି ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସୂଚନା ଦେଇଛନ୍ତି । ବ୍ରହ୍ମଚାରୀ ନୃସିହ ନାଥ ଓ ଶିବାନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
