ଏଟିଏମ୍ ଲୁଟ୍ ମାମଲାର ୨ କୁଖ୍ୟାତ ଲୁଟେରା ଗିରଫ, ମୋବାଇଲ ଜବତ

ଭୁବନେଶ୍ୱର,୦୬/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଏଟିଏମ୍ ତାଡି ଲୁଟିନେବା ଅଭିଯୋଗର ଖୋଳତାଡ଼ କରୁଥିବା କମିଶନରେଟ୍ ପୁଲିସକୁ ୪୦ ଦିନ ପରେ ସଫଳତା ମିଳିଛି । ରାଜ୍ୟ ବାହାରୁ ଦୁଇ ମୁଖ୍ୟ ଖଳନାୟକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଉତରପ୍ରଦେଶ ଗାଜିଆବାଦର ଏ.ରୁସ୍ତମ୍ (୩୬) ଓ ପଶ୍ଚିମବଙ୍ଗର ସେକ୍ ମୀଜାନୁର ମୁଲ୍ଲା ଓରଫ ରାଜୁ (୪୫) । ସେମାନଙ୍କଠାରୁ ନଗଦ ୩୮ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।

ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗରରୁ ଏଟିଏମ୍ ତାଡ଼ି ୨୧ ଲକ୍ଷ ୭୭ ହଜାର ୭୦୦ ଟଙ୍କା ଲୁଟ୍ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କମିସନର ଦେବଦତ ସିଂ ସୂଚନା ଦେଇଛନ୍ତି । ଅନୁରୂପଭାବେ ଏହି ଲୁଟ୍ ମାମଲାରେ ପୂର୍ବରୁ ଗ୍ୟାଙ୍ଗ୍ କୁ ଅପରେଟ୍ କରୁଥିବା ମୁଖିଆ ଦେବୀପ୍ରସାଦ ମଲିଆ ଓରଫ ଭିକି ସହ ୬ଜଣଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଏଟିଏମ୍ ତାଡ଼ିବାରେ ଦୁଇ ମାଷ୍ଟରମାଇଣ୍ଡ୍ ରାଜୁ ଓ ରୁସ୍ତମ୍ ଫେରାର୍ ହୋଇଯାଇଥିଲେ । ରାଜୁକୁ ପଶ୍ଚିମବଙ୍ଗରୁ ଓ ରୁସ୍ତମ୍ କୁ ଗାଜିଆବାଦରୁ ଗିରଫ କରାଯାଇଛି ।

ପୁଲିସ କହିବା ଅନୁଯାୟୀ, ଧରାପଡ଼ିଥିବା ରୁସ୍ତମ୍ ଓ ରାଜୁ  ଏଟିଏମ୍ ରୁ ଟଙ୍କା ଲୁଟିବାରେ ଧୂରନ୍ଧର । ସାରାଦେଶରେ ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ୍ ଏଟିଏମ୍ ତାଡ଼ି ଲୁଟିବା ଓ ହ୍ୟାକିଂ କରି ଟଙ୍କା ନେଇଯିବାରେ ମୋଷ୍ଟୱାଣ୍ଟେଡ୍ ସାଜିଥିଲେ । ୨୦୨୨ରେ ଧଉଳି ଥାନା ଲିଙ୍ଗିପୁର ଅଂଚଳରୁ ଏକ ଏଟିଏମ୍ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ରାଜୁକୁ ଗିରଫ କରାଯାଇଥିଲା । ସେ ଝାରପଡ଼ା ଜେଲ୍ ରେ ଥିବାବେଳେ ପୂର୍ବରୁ ଧରାପଡ଼ିଥିବା ଦେବୀପ୍ରସାଦ ମଲିଆ ଓରଫ ଭିକି ସହ ଚିହ୍ନା ପରିଚିତ ହୋଇଥିଲା । ଝାରପଡ଼ା ଜେଲ୍ ରେ ସେମାନେ ଅପରାଧର ନକ୍ସା ପ୍ରସ୍ତୁତ କରିଥିଲେ । ଝାରପଡ଼ା ଜେଲ୍ ପରେ କୋର୍ଟରେ ହାଜର ହେବାକୁ ଯିବା ସମୟରେ ଉଭୟ ରାଜଧାନୀରେ ଅପରାଧ  ଘଟାଇବା ଲାଗି ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲେ ।

ପ୍ରଥମେ ରାଜୁ ଜାମିନରେ ମୁକୁଳିଥିବାବେଳେ ଗତ ଡିସେମ୍ବର ୨୫ରେ ବିକି ଦୁଇଟି ହତ୍ୟା ମାମଲାରେ ଜାମିନରେ ମୁକୁଳିଥିଲେ । ରୁସ୍ତମ୍ ଭୁବନେଶ୍ୱର ଆସିଥିବାବେଳେ ବିକି ସହ ମିଶିଥିଲେ । ଗତ ଡିସେମ୍ବର ମାସରେ ଗୋଆ ଜେଲ୍ ରୁ ଜାମିନରେ ମୁକୁଳି ସାରାଦେଶରେ ଏଟିଏମ୍ ଲୁଟ୍ ମାମଲାର ମୋଷ୍ଟୱାଣ୍ଟେଡ୍ ଥିବା ରୁସ୍ତମ୍ କୁ ଏଥିରେ ସାମିଲ୍ କରିଥିଲେ । ସାଇବର ଅପରାଧ ମାମଲାରେ ଜେଲ୍ ଯାଇଥିବା ଆକାଶ ମୁଖାର୍ଜୀ ଓ ସ୍ଥାନୀୟ ଅପରାଧୀଙ୍କ ଗ୍ୟାଙ୍ଗ୍ ରେ ମିଶାଇ ଏଟିଏମ୍ ଲୁଟ୍ କରିବା ଲାଗି ନୀଳନକ୍ସା ପ୍ରସ୍ତୁତ କରିଥିଲେ । ସପ୍ତାହେ ଧରି ସହରରେ ରେକି କରି ଦୁର୍ବଳ ସୁରକ୍ଷା କିମ୍ବା ପୁରୁଣା ଏଙ୍କିଏମ୍ ମେସିନ କୁ ଟାର୍ଗେଟ୍ କରିଥିଲେ ।

ପ୍ରଥମେ ଉକ୍ତ ଅଂଚଳର ଅଭୟ ମୁଦୁଲିଙ୍କ ଡାଲା ଅଟୋକୁ ଚୋରି କରି ପାଞ୍ଚଗାଁ ନିକଟରେ ଥିବା ଏକ ଏଟିଏମ୍ କୁ ଲୁଟ୍ ଲାଗି ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ବିଫଳ ହେବା ପରେ ଶ୍ରୀରାମନଗରରେ ଥିବା ଏଟିଏମ୍ କୁ ତାଡ଼ିଥିଲେ । ଏଟିଏମ୍ କୁ ଡାଲା ଅଟୋରେ ଭର୍ତି କରି ସେଠାରୁ ପ୍ରାୟ ଦେଢ଼ କିଲୋମିଟର ଯାଇ ଗଙ୍ଗୁଆ ନାଳରେ ଫୋପାଡ଼ିଦେଇ ୨୧ ଲକ୍ଷ ୭୭ହଜାର ୭୦୦ ଟଙ୍କା ଲୁଟି ନେଇଥିଲେ । ଦୁଇ ଦିନ ତଳେ ଭିକି ସହ ଗ୍ୟାଙ୍ଗ୍ ର ୬ଜଣଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ରାଜୁ ଓ ରୁସ୍ତମ୍ ଟଙ୍କା ନେଇ ବସ୍ ରେ ପଶ୍ଚିମବଙ୍ଗ ପଳାଇଥିଲେ । ପଶ୍ଚିମବଙ୍ଗରୁ ରୁସ୍ତମ୍ ଟଙ୍କା ନେଇ ଦିଲ୍ଲୀ ପଳାଇଥିଲା ।

ସେମାନଙ୍କୁ ପୁଲିସ ପିଛା କରି ପଶ୍ଚିମବଙ୍ଗ ଓ ଦିଲ୍ଲୀରୁ କାବୁ କରି ନେଇଥିଲା । ଏଟିଏମ୍ କୁ ତାଡ଼ି ଗଙ୍ଗୁଆ ନାଳରେ ଫିଙ୍ଗି ୨୧ ଲକ୍ଷ ୭୭ ହଜାର ୭୦୦ ଟଙ୍କା ଲୁଟି ନେଇଯାଇଥିଲେ । ଗ୍ୟାଙ୍ଗ୍ ର ସମସ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିନ୍ତୁ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଛି । ଅବଶିଷ୍ଟ ୨୦ ଲକ୍ଷ ଟଙ୍କାର ସୂରାକ୍ ମିଳୁନି । ରାଜୁ ଓ ରୁସ୍ତମ୍ ୧୨ ଲକ୍ଷ ଟଙ୍କା ନେଇଯାଇଥିଲେ । ସେମାନଙ୍କଠାରୁ ମାତ୍ର ୩୭ହଜାର ଟଙ୍କା ମିଳିଛି । ରାଜୁ ନିଜ ଗାଁରେ ଗଞ୍ଜା ଲଢ଼େଇରେ ୭ରୁ ୮ ଲକ୍ଷ ଟଙ୍କା ଲଗାଇଥିଲା ।

ଜୁଆଖେଳରେ ରାଜୁ ସବୁ ଟଙ୍କା ହାରି ଯାଇଥିଲା । ଲୁଟ୍ ଟଙ୍କାକୁ ଜୁଆଖେଳରେ ନିବେଶ କରି ଦୁଇଗୁଣା କରିବା ଲୋଭରେ ସବୁ ଟଙ୍କା ହରାଇ ଦେଇଥିଲା । ରୁସ୍ତମ୍ ର ଭାଇ ମେଡିସିନ୍ ଦୋକାନ କରି କ୍ଷତି ସହିଥିଲା । ଏମିତିକି ସେ ଜେଲ୍ ରେ ଥିବାରୁ ପରିବାର ଲୋକେ ପଡ଼ୋଶୀଙ୍କ ନିକଟରୁ ସୁଧକୁ ଟଙ୍କା ହାତଉଧାରି ଆଣିଥିଲେ । ତେଣୁ ଲୁଟ୍ ଟଙ୍କାକୁ ରୁସ୍ତମ୍ ସୁଝିଦେଇଥିଲା ।

Leave a Reply

Your email address will not be published. Required fields are marked *