ଯାଜପୁର,୧୩/୧୧/୨୦୨୬(ଓଡ଼ିଶା ସମାଚାର)– ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସମ୍ପର୍କିତ ୯ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ କଟକ ରାଜସ୍ୱ ଆୟୁକ୍ତ, କେନ୍ଦ୍ରାଞ୍ଚଳ ଶ୍ରୀ ସୁଧାଂଶୁ ମୋହନ ସାମଲ, ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଦୀପ ବଳ ସାମନ୍ତ, ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର, ଦାନଗଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ ଓ ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିବ୍ୟରଞ୍ଜନ ବରାଳ ଉପସ୍ଥିତ ରହିଥିଲେ।
ବୈଠକରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିସ୍ଥାପିତ ବ୍ୟକ୍ତି ଓ ପ୍ରଭାବିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ସ୍ଥିତି, ସେମାନଙ୍କ ସମସ୍ୟା ଏବଂ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ କଟକ ବନଖଣ୍ଡ ଅଧିକାରୀ, IDCOର ମୁଖ୍ୟ ମହାପ୍ରବନ୍ଧକ (ଭୂମି), ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର, ସ୍ୱତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ, କଳିଙ୍ଗନଗର, ସମ୍ପୃକ୍ତ ବିଭାଗର ଅଧିକାରୀ, ବିଭିନ୍ନ ଶିଳ୍ପସଂସ୍ଥାର ୧୪ ଜଣ ବିସ୍ଥାପିତ ଓ ପ୍ରଭାବିତ ପରିବାରର ପ୍ରତିନିଧି, ୬୫ ଜଣ ଶିଳ୍ପସଂସ୍ଥାର ପ୍ରତିନିଧି ଏବଂ ୧୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ/ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ତଥା RPDACର ସଦସ୍ୟ ସଂଯୋଜକ ଶ୍ରୀ ଅମ୍ବର କୁମାର କର ସ୍ୱାଗତ ଭାଷଣ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ବୈଠକରେ ପୁନର୍ବାସ ଓ ଥଇଥାନ, ପୁନର୍ବାସ କଲୋନୀଗୁଡ଼ିକରେ ମୌଳିକ ସୁବିଧା, ବିସ୍ଥାପିତ ଓ ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଜୀବିକା ନିର୍ବାହର ସୁଯୋଗ ଏବଂ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ୭ଟି ପୁନର୍ବାସ କଲୋନୀରେ ରାସ୍ତା, ପାନୀୟ ଜଳ, ଅଙ୍ଗନବାଡ଼ି କେନ୍ଦ୍ର, ସାମୁଦାୟିକ କେନ୍ଦ୍ର, ଶ୍ମଶାନ/କବରସ୍ଥାନ, ଖେଳପଡ଼ିଆ ଓ ପୋଖରୀ ଆଦି ଭିତ୍ତିଭୂମିର ଉପଲବ୍ଧତା, ବିକାଶ, ରକ୍ଷଣାବେକ୍ଷଣ ଏବଂ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।
RPDAC ଅଧ୍ୟକ୍ଷ ତଥା ରାଜସ୍ୱ ଆୟୁକ୍ତ, କେନ୍ଦ୍ରାଞ୍ଚଳ ଶ୍ରୀ ସାମଲ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସବୁଜିମା ବୃଦ୍ଧି ନିମନ୍ତେ ସମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକୁ ଆନ୍ତରିକତାର ସହ ବୃକ୍ଷରୋପଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଧୂଳିଜନିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମିତ ଜଳ ସିଞ୍ଚନ ଓ ରାସ୍ତା ସଫେଇ କାର୍ଯ୍ୟ କରିବା ସହ ବିସ୍ଥାପିତ ବ୍ୟକ୍ତିଙ୍କ ସାମଗ୍ରିକ କଲ୍ୟାଣ ନିମନ୍ତେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠିରୁ ଅଧିକ ଅର୍ଥ ବ୍ୟୟ କରିବାକୁ ମଧ୍ୟ ଶିଳ୍ପସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଥିଲେ।
ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ପ୍ରତିନିଧି ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ନିୟମିତ ବ୍ୟବଧାନରେ RPDAC ବୈଠକ ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ଶିଳ୍ପସଂସ୍ଥାର ବିସ୍ଥାପିତ ପରିବାରର ପ୍ରତିନିଧିମାନେ ଶିଳ୍ପସଂସ୍ଥାରେ ନିଯୁକ୍ତି ସୁଯୋଗ ଏବଂ ପୁନର୍ବାସ କଲୋନୀ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ନିଜସ୍ୱ ମତାମତ ଓ ପ୍ରସ୍ତାବ ରଖିଥିଲେ। ବିସ୍ଥାପିତ ଓ ପ୍ରଭାବିତ ପରିବାରଙ୍କ କଲ୍ୟାଣ ତଥା ପୁନର୍ବାସ କଲୋନୀଗୁଡ଼ିକର ବିକାଶ ପାଇଁ ଗ୍ରହଣ କରାଯିବାକୁ ଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇ ବୈଠକ ଶେଷ ହୋଇଥିଲା।
ବୈଠକରେ ବିସ୍ଥାପିତମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ମାନନୀୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, “ବିସ୍ଥାପିତ ଲୋକଙ୍କ ଜମି, ସ୍ଥାନୀୟ ନିଯୁକ୍ତି, ପାନୀୟ ଜଳ, ରାସ୍ତା ଓ ବିଜୁଳି ଭଳି ମୌଳିକ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନକ ହେଵା ଆବଶ୍ୟକ ।”
ଶେଷରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ ଅଧ୍ୟକ୍ଷ ଓ ବୈଠକରେ ଯୋଗଦେଇଥିବା ସମସ୍ତ ଅତିଥି ଓ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
