ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୮/୮/୨୦୨୪ (ଓଡ଼ିଶା ସମାଚାର)- ସିପିଆଇ (ଏମ୍)ର ପୂର୍ବତନ ପଲିଟିବ୍ୟୁରୋ ସଭ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କର ୮୦ବର୍ଷ ବୟସରେ କୋଲକତାସ୍ଥିତ ବାସଭବନରେ ଆଜି ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ସିପିଆଇ(ଏମ୍) କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଜିଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଏକ ଶୋକସଭା ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସାଥି ଭଟାଚାର୍ଯ୍ୟ ୨୦୦୦ମସିହାରୁ ୨୦୧୧ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଘଟିଥିଲା । ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ । ତାଙ୍କର ଯୋଗ୍ୟତା ବଳରେ ସେ ପାର୍ଟିର ସର୍ବୋଚ୍ଚ ସଂସ୍ଥା କେନ୍ଦ୍ର କମିଟି ଓ ପାଲିଟିବ୍ୟୁର ସଭ୍ୟ ହୋଇ ପାରିଥିଲେ । ବହୁଦିନ ଧରି ରହିଥିବା ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଯୋଗୁଁ ଆଜି ତାଙ୍କର ଦେହାନ୍ତ ଘଟିଲା । ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ପାର୍ଟି ଜଣେ ଅଭିଜ୍ଞ ନେତୃତ୍ୱ, ବୁଦ୍ଧିଜୀବି,ସାହିତ୍ୟିକ ଓ ମାର୍କ୍ସବାଦୀ ଦାର୍ଶନିକଙ୍କୁ ହରାଇଲା । ପଶ୍ଚିମବଙ୍ଗ ଓ ଆମ ଦେଶ ଜଣେ ସଚ୍ଚୋଟ, ନିଷ୍ଠାବାନ, ଅଭିଜ୍ଞ ତଥା ଶ୍ରମିକ କୃଷକ ଓ ଜନ ସାଧାରଣଙ୍କର ପ୍ରିୟ ସାମ୍ୟବାଦୀ ନେତାଙ୍କୁ ହରାଇଲା । ତାଙ୍କ ଦେହାନ୍ତ ଦେଶର ଅପୁରଣୀୟ କ୍ଷତି । ପ୍ରକାଶ ଥାଉକି ତାଙ୍କୁ ମିଳିଥିବା ପଦ୍ମ ଭୂଷଣ ଉପାଧିକୁ ସେ ଗ୍ରହଣ କରି ନଥିଲେ । ସିପିଆଇ(ଏମ୍) କେନ୍ଦ୍ରାପଡା ଜିଲା କମିଟି ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ସମଗ୍ର ପାର୍ଟି, ପଶ୍ଚିମବଙ୍ଗ ରାଜ୍ୟ କମିଟି ଓ ତାଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାମ୍ପନ କରୁଛି । ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ପାର୍ଟି ଜିଲା କମିଟି ପାର୍ଟିର ପତାକାକୁ ତିନି ଦିନ ପାଇଁ ଅର୍ଧନମିତ ରଖୁଛି । ଏହି ବୈଠକରେ ପାର୍ଟିର ଜିଲା ସମ୍ପାଦକ ଗୟାଧର ଧଳ, ଜଗତ ଜୀବନ ଦାଶ, କାଳିପ୍ରସାଦ ନାୟକ, ନରୋତମ ପାର୍ଥସାରଥୀ, ନଳିନୀପ୍ରଭା ତରାଇ, ରତ୍ନଞ୍ଜୟ ମଲ୍ଲିକ, ଧୀବର ବେହେରା, ଭୀମସେନ ବେହେରା, ସୋମନାଥ ବିଶ୍ୱାଳ, ସିପିଆଇ(ଏମ୍) ପୂର୍ବତନ ଜିଲା ସମ୍ପାଦକ ଉମେଶ ଚନ୍ଦ୍ର ସିଂହ, ଶ୍ରମିକ ନେତା ମାଧବ ଦାସ, କୃଷକ ସଭା ନେତା ବିଜୟ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଜିଲା ସଭାପତି ଧୀରେନ ସାହୁ, କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ସାମ୍ବାଦିକ ଆଶିଷ ସେନାପତି, ସିପିଆଇ ଜିଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆବାହକ ଆଦିକନ୍ଦ ରାଉଳ, ଯୁବ ନେତା ରାଜେଶ ପଣ୍ଡା, ଆପ ଜିଲା ସଭାପତି ସଂଦୀପ୍ତ ଦାଶ, ଶ୍ରମିକ ନେତା ମୁକ୍ତାର ଖାଁ ଓ ସିପିଆଇ(ଏମ୍ଏଲ) ନେତା ପ୍ରକାଶ ମଲ୍ଲିକ ପ୍ରମୁଖ ଶୋକ ବାର୍ତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *