ହବିଷ୍ୟାଳୀଙ୍କ ପଂଚୁକ ବ୍ରତ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୩/୧୦/୨୦୨୫(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତିକ ପଂଚୁକ ବ୍ରତ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ମାସ ୩୧ତାରିଖ ଠାରୁ ନଭେମ୍ବରମାସ ୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ ।

ପ୍ରସ୍ତୁତି ବୈଠକରେ ଶ୍ରୀବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ନୃସିଂହ ଚରଣ ପତ୍ରୀ, ବଳଦେବସେନାର ସଭାପତି ପପୁନ ସ୍ୱାଇଁ, ସେନାର ସମ୍ପାଦକ ଓ ଅନ୍ୟ ସଦସ୍ୟମାନେ, ଧର୍ମଜାଗରଣ ସେନାର ପିଲାମାନେ, ଅଭିଜିତ ବେହେରା, ଆଳିଜଙ୍ଗା ମାତୃ ସତସଙ୍ଗ କେନ୍ଦ୍ରର ସଦସ୍ୟା କମଳା ମହାନ୍ତି, ସଂଯୁକ୍ତା ମହାନ୍ତି, ଧିରେନ୍ଦ୍ର ନାୟକ, କୁଳମଣି ଦାସ, ସୁଦର୍ଶନ ମହାନ୍ତି, ଅନନ୍ତ ଚରଣ ଲେଙ୍କା, ରୀତାଞ୍ଜଳି ନାଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କିପରି ସରସ ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତିକ ପଂଚୁକ ବ୍ରତ ପାଳନ ଅବସରରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଆଲୋଚନା ଚକ୍ର ଓ ସଂକୀର୍ତନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କିଭଳି କରାଯିବ ସେଥିନିମନ୍ତେ ଯଥାଯଥ ଭାବେ କାର୍ତିକ ପଂଚୁକ ବ୍ରତ ବିଧି ମୁତାବକ ପାଳନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ବ୍ରହ୍ମଚାରୀ ନୃସିଂହ ନାଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତୁଳସୀକ୍ଷେତ୍ରରେ ରହି କାର୍ତିକ ପଂଚୁକ ବ୍ରତ ପାଳନ କରିବାକୁ ଚାହୁଁଥିବା ମା’ମାନେ ଯଥାଶୀଘ୍ର ଗରାପୁର ଶିବାନନ୍ଦ ଆଶ୍ରମ ସହିତ ଯୋଗାଯୋଗ କରିବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *