ସୁଧାଂଶୁ ରାଉତଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ଜିଲା କଂଗ୍ରେସ

କେନ୍ଦ୍ରାପଡ଼ା,୨୩/୧୦/୨୦୨୫(ଓଡ଼ିଶା ସମାଚାର)- ୱେବ ଚାନେଲ ଫୋକସ ପ୍ଲସର ସାମ୍ବାଦିକ ସୁଧାଂଶୁଶେଖର ରାଉତ, ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଓ କଂଗ୍ରେସ କର୍ମୀ ଅଜୟ ପଣ୍ଡାଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ଦିଆଯାଇଛି । କଜଳା ସ୍ଥିତ ଜିଲା କଂଗ୍ରେସ ଭବନରୁ ଜିଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଟାଉନ୍ ଥାନାରେ ପହଂଚିଥିଲେ । ଏହି ଅବସରରେ ଜିଲା ସଭାପତି ଡାକ୍ତର ଶର୍ମା ଗଣମାଧ୍ୟମକୁ କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବିରୁଦ୍ଧରେ ଏକ ୱେବ ଚାନେଲରେ ନାଣ୍ଡୁ ବହୁ ଭିତିହୀନ ଅଭିଯୋଗ ଆଣିଛନ୍ତି । ଏହାଦ୍ୱାରା ପିସିସି ସଭାପତିଙ୍କ ମର୍ଯ୍ୟାଦା ହାନି ହୋଇଛି ।

ତେଣୁ ନାଣ୍ଡୁ, ୱେବ ଚାନେଲର ସଂପାଦକ ଓ ଅନ୍ୟ ଜଣେ କଂଗ୍ରେସ କର୍ମୀ ଅଜୟ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନାଣ୍ଡୁ ଗତ ୧୫ ତାରିଖରେ ପ୍ରଦେଶ କଂଗ୍ରେସ ଭବନରେ ପଶିବାକୁ ଉଦ୍ୟମ କରିଥିଲେ । ହେଲେ ପିସିସି ପକ୍ଷରୁ ତାଙ୍କୁ ବାରଣ କରାଯାଇଥିଲା । ଫଳରେ ସେ ପ୍ରତିହିଂସା ପରାୟଣ ହୋଇ ପିସିସି ସଭାପତିଙ୍କ ବିରୁଦ୍ଧରେ ସଂପୃକ୍ତ ୱେବ ଚାନେଲରେ ବିଭିନ୍ନ ପ୍ରକାରର ଟିପ୍ପଣୀ ଦେଇଛନ୍ତି । ଯାହାଦ୍ୱାରା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମର୍ଯ୍ୟାଦା ହାନି ହୋଇଛି । ସେହିପରି ଭକ୍ତ ଚରଣ ଦାସଙ୍କ ପୁଅ ବିଧାୟକ ସାଗର ଚରଣ ଦାସଙ୍କ ବିରୁଦ୍ଧରେ ମଧ୍ୟ ଅପମାନ ସୂଚକ ଟିପ୍ପଣୀ ଦେଉଛନ୍ତି ।

ଏହାଦ୍ୱାରା କଂଗ୍ରେସ ଦଳ ବଦନାମ ହେଉଛି । ତେଣୁ ଏହି ତିନି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ନେତା ଓ କର୍ମୀମାନେ ଦାବି କରିଛନ୍ତି । ଥାନାରେ ଏତଲା ଦିଆଯିବା ସମୟରେ ଜିଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସନ୍ତୋଷ କୁମାର ବେହେରା, ମହାକାଳପଡ଼ା କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା, କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଜୟଦେବ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଭାଗିରଥୀ ଜେନା, ବାବୁରାମ ଜେନା, ମଳୟ ଦାସ, ରମାକାନ୍ତ ଦାସ, ସସ୍ମିତା ପଣ୍ଡା, ନଳିନୀ ବିହାରୀ ମହାନ୍ତି, ବିଧୁଭୂଷଣ ମହାପାତ୍ର, ଅଜୟ କୁମାର ଦାସ, ଦର୍ପନାରାୟଣ ସାହୁ, ରବିନାରାୟଣ ବେହେରା, ରଙ୍ଗଲାଲ ମଲିକ, ପ୍ରମିଳା ମଲିକ, ସର୍ବେଶ୍ୱର ସାମଲ, ପ୍ରକାଶ ରାଉତ, ଜଗନ୍ନାଥ ସେଠୀ, ପ୍ରଭାତ କୁମାର ସେଠୀ, ଏଆଇସିସି ଯୁବ ସଂପାଦକ ସମ୍ରାଟ ଜେନା, ଗଣେଶ୍ୱର ମଲ୍ଲିକ, ନିର୍ମଳ ମଲ୍ଲିକ, ଗୌରାଙ୍ଗ ମହାରଣା, ରାଜମୋହନ ସ୍ୱାଇଁଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *