ନିଶ୍ଚିନ୍ତକୋଇଲି,୧୯/୧୦/୨୦୨୫(ଓଡ଼ିଶା ସମାଚାର)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ମାହାଙ୍ଗା ଯୁବ ବିଧାୟକ ଶାରଦା ପ୍ରଧାନ ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା ଉଭୟଙ୍କ ମିଳିତ ଉପସ୍ଥିତିରେ ଏକ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ବିରାଟ ପଟୁଆରରେ ଉଦଘାଟନ ସ୍ଥଳକୁ ଉଭୟଙ୍କୁ ପାଛୋଟି ନିଆଯାଇଥିଲା ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ୮ ନମ୍ବର କେନାଲ ବାମପାଶ୍ୱର୍ ବନ୍ଧ ନିଶ୍ଚିନ୍ତକୋଇଲି ଠାରୁ ବାଲିଡା (ଢିହିଗୋପ) ପର୍ୟ୍ୟନ୍ତ ୮.୫ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଉନ୍ନତିକରଣ ନିମନ୍ତେ ୧୨ କୋଟି ୬ ଲକ୍ଷ ଟଙ୍କା ଏବଂ ୯ ନମ୍ବର କେନାଲର ଡାହାଣ ପାଶ୍ୱର୍ ବନ୍ଧ ରାସ୍ତା ସୁକରପଡ଼ାଠାରୁ କୁରୁଜଙ୍ଗା ପର୍ୟ୍ୟନ୍ତ ୬ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଉନ୍ନତିକରଣ ପାଇଁ ୮କୋଟି ୭୯ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଦୁଇଟି ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମରେ ଏକ ରୋଡ୍ ସୋ ରେ ସାଂସଦ ଶ୍ରୀ ପଣ୍ଡା ଓ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୁଳିଆ କାର୍ୟ୍ୟାଳୟ ନିକଟରୁ ସୁକରପଡ଼ା ଡାକବଙ୍ଗଳା ପର୍ୟ୍ୟନ୍ତ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ପାଛୋଟି ଆଣିଥିଲେ ।
ଡାକବଙ୍ଗଳା ପରିସରରେ ଆୟୋଜିତ ଏକ ସଭାରେ ସାଂସଦ ଶ୍ରୀ ପଣ୍ଡା ଯୋଗଦେଇ କହିଥିଲେ ଯେ ଏ ସରକାର ମହିଳା ଓ ଯୁବକମାନଙ୍କୁ ସ୍ୱରୋଜଗାରକ୍ଷମ କରାଇବ । ଗରିବ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବ । ବିଶେଷକରି ଭାରତର ଭିତିିଭୂମିକୁ ଗଢ଼ିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରାଯାଇଛି । ଶିଳାନ୍ୟାସ ଉତ୍ସବରେ ୧୦ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣଙ୍କ ଯୋଗ ଦେଇଥିଲେ ।
ବିଧାୟକ ଶ୍ରୀ ପ୍ରଧାନଙ୍କ ପୌରୋହିତ୍ୟରେ ଏହି ସଭାରେ ଗ୍ରାମ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁଧାକର ନାୟକ, ଧର୍ମଦର୍ଶୀ କର, ବ୍ଲକ ଉପାଧ୍ୟକ୍ଷ ନୃସିଂହ ମିଶ୍ର, ପ୍ରାକ୍ତନ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ନାରୀନେତ୍ରୀ ଯାଜ୍ଞସେନୀ ଜେନା, ପ୍ରାକ୍ତନ ଅଧ୍ୟକ୍ଷା କମଳା ବସ୍ତିଆ, ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥି, ପ୍ରାକ୍ତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ, ନିଶ୍ଚିନ୍ତକୋଇଲି ସରପଂଚଙ୍କ ପ୍ରତିନିଧି ହେମନ୍ତ ରାଉତ, ରବିଚନ୍ଦ୍ର ବେହେରା, ପ୍ରାକ୍ତନ ସରପଂଚ ମୃତୁ୍ୟଞ୍ଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।
