ଯାଜପୁର, ୧୦/୦୯/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଢ଼ୀ କଣ୍ଟେଇ ମନ୍ଦିର ପରିସରରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରୂପାଲି ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।
ଏହି ବିଦାୟକାଳୀନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଲେ ଯେମିତି ଜନ୍ମ ହେଲେ ମୃତ୍ୟୁ ନିଶ୍ଚୟ ସେହିପରି ସରକାରୀ ଚାକିରୀ ରେ ଯୋଗଦେଲେ ଦିନେ ଅବସର ନେବାକୁ ହୁଏ। ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କ କାର୍ଯ୍ୟ କାଳରେ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଅନୁମୋଦନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ଯାଜପୁର ଭଳି ଉପକୂଳ ଜିଲ୍ଲାରେ ସେ ୫ ବର୍ଷ ଧରି ନିଜର କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଜୀବନରେ ସେ ସୁସ୍ଥ, ସୁଖୀ, ସମୃଦ୍ଧ ରୁହନ୍ତୁ ବୋଲି ଶୁଭକାମନା କରିଥିଲେ।
ଉକ୍ତ ସଭାରେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ କହିଲେ ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହି ଜିଲ୍ଲାର ସମାଜ ସୁରକ୍ଷା ବିଭାଗରେ ନିଷ୍ଠା, ସମର୍ପଣ ଓ ଅବିରତ ପ୍ରୟାସରେ ସେବା ଦେଇ ଆସିଛନ୍ତି। ୫ ବର୍ଷ ଧରି, ଶ୍ରୀ ବେହେରାଙ୍କର ନିଷ୍ଠା, ସମର୍ପଣ ଓ ଦୃଢ଼ ସଙ୍କଳ୍ପରେ, ସମାଜିକ ସୁରକ୍ଷା ବିଭାଗର ସବୁ କାର୍ଯ୍ୟକୁ ସୁଚାରୁ ଭାବରେ ପରିଚାଳନା କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଆଗାମୀ ଜୀବନରେ ସେ ସୁସ୍ଥ, ସୁଖୀ, ସମୃଦ୍ଧ ରୁହନ୍ତୁ ବୋଲି ଶୁଭକାମନା କରିଥିଲେ। ଅବସର ପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା କହିଲେ ସମସ୍ତଙ୍କ ସହଯୋଗ ପାଇ ମୁଁ ୫ ବର୍ଷ ରାଜକାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିପାରିଲି।
ଆପଣ ମାନଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା। ଉଚ୍ଚ ନୀଚ୍ଚ ଚିନ୍ତାଧାରା ମନରେ ନ ଆଣି ସମସ୍ତଙ୍କୁ ସ୍ନେହ ଆଦର ଦେବାକୁ ଓ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଉପସ୍ଥିତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ କର୍ମଚାରୀଙ୍କୁ ଅନୁରୋଧ କରିବା ସହିତ ନିଃସ୍ଵାର୍ଥପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ବିଦାୟକାଳୀନ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ,ବିଭାଗୀୟ କର୍ମଚାରୀ, ସ୍ଵତନ୍ତ୍ର ବିଦ୍ୟାଳୟ ଓ ଜରାଶ୍ରମ ଆଦି ପରିଚାଳନା କରୁଥିବା ଏନ୍.ଜି.ଓ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
