୨୮ତମ ଆଇଆଇଟିଏଫ୍ – ଏଟିଟିୟୁ (ITTF – ATTU)

ଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଅନସିପ୍ -୨୦୨୫ ଉଦଯାପିତ
ବିଜୟ କେବଳ ପଦକ ଜିତିବାରେ ନୁହେଁ ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନରେ ମଧ୍ୟ ରହିଛି – ରାଜ୍ୟପାଳ

ଭୁବନେଶ୍ୱର,୧୫/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କ୍ରୀଡ଼ାରେ ପ୍ରକୃତ ବିଜୟ କେବଳ ପଦକ ଜିତିବାରେ ନୁହେଁ, ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନ ଏବଂ କ୍ରୀଡ଼ା ମନୋଭାବ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ମଧ୍ୟ ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଅକ୍ଟୋବର ୧୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୮ତମ ITTF – ATTUଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଆନସିପ୍ – ୨୦୨୫ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ନିଜ ଉଦବୋଧନରେ ଏହି ଚମ୍ପିଆନସିପ୍ କୁ ଏକ ଅସାଧାରଣ କାର୍ଯ୍ୟକ୍ରମ ଭାବେ ରାଜ୍ୟପାଳ ବର୍ଣ୍ଣନା କରି କହିଥିଲେ ଯେ ପଦକ ଏବଂ ଟାଇଟଲ୍ ଅପେକ୍ଷା ଏହି ଟୁର୍ଣ୍ଣାମେଂଟ କ୍ରୀଡ଼ାର ଗଭୀର ମର୍ମ ଯଥା – ଦୃଢତା, ଦଳଗତ ପ୍ରଦର୍ଶନ ଏବଂ ସମ୍ମାନ ମନୋଭାବର ଉଦାହରଣ ସାଜିଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗର୍ବର ମୁହୂୂର୍ତ୍ତ ।

ଭୁବନେଶ୍ୱର ପୁଣି ଥରେ କ୍ରୀଡ଼ାର ଶକ୍ତି ମାଧ୍ୟମରେ ବିଭିନ୍ନ ଦେଶକୁ ଏକତ୍ରିତ କରିଛି । ଗତ ପାଂଚ ଦିନ ଧରି ଐତିହାସିକ କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ ସେଂଟର ଶକ୍ତି, ଉତ୍ସାହ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଉତ୍କର୍ଷତାର ଆତ୍ମାରେ ପ୍ରତିଫଳିତ ହୋଇଛି ।

ପ୍ରଥମ ଥର ପାଇଁ ଓଡ଼ିଶା ଏହି ମର୍ଯ୍ୟାଦାବନ୍ତ ଚମ୍ପିଆନସିପ୍ ଆୟୋଜନ କରି କ୍ରୀଡ଼ା ଯାତ୍ରାରେ ଆଉ ଏକ ମାଇଲ୍ଖୁଂଟ ସ୍ଥାପନ କରିଛି ବୋଲି କହିଥିଲେ । ବିଜେତା ଓ ଅଂଶ ଗ୍ରହଣକାରୀମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ITTF ବିଶ୍ୱ ଟେବୁଲ ଟେନିସ୍ ଚମ୍ପିଆନସିପ – ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ସଫଳତାକୁ ସମର୍ପଣ ଏବଂ କଠିନ ପରିଶ୍ରମର ଫଳ ବୋଲି କହିଥିଲେ ।

କ୍ରୀଡ଼ାରୁ ଜୀବନରେ କିପରି ଶିକ୍ଷା ଲାଭ କରି ହୁଏ ସେ ସଂପର୍କରେ ରାଜ୍ୟପାଳ ଅବତାରଣା କରିଥିଲେ ଏବଂ ଟେନିସ୍ ଖେଳ କିପରି ସାହସ, ସ୍ଥିରତା ଏବଂ ଦୃଢତା ଶିଖାଏ ତାହା ଉଲ୍ଲେଖ କରିଥିଲେ । ପଏଂଟ ହରାଇଲେ ମଧ୍ୟ ଶ୍ରେଷ୍ଠ ଖେଳାଳୀମାନେ ଶାନ୍ତ ରହି ନିଷ୍ଠାର ସହ ଖେଳି ଉତ୍କର୍ଷତା ହାସଲ କରନ୍ତି । ସେହିପରି ଜୀବନରେ ପୁଣି ଥରେ ଉଠିବାର ଆମର କ୍ଷମତା ହିଁ ଆମକୁ ପରିଭାଷିତ କରେ ବୋଲି ରାଜ୍ୟପାଳ କହିଥିଲେ । ଭାରତର କ୍ରୀଡ଼ା ଇକୋସିଷ୍ଟମକୁ ପରିବର୍ତ୍ତନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ଏତଦବ୍ୟତୀତ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ଆନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନ, ଏସୀୟ ଟେବୁଲ ଟେନିସ ୟୁନିଅନ, ଭାରତୀୟ ଟେବୁଲ ଟେନିସ୍ ଫେଡେରେସନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଇଭେଂଟର ସଫଳତା ପାଇଁ ସେମାନଙ୍କର ଅନୁକରଣୀୟ ଯୋଜନା, ନିଖୁଣ କାର୍ଯ୍ୟାନ୍ୱୟନ ପାଇଁ ଧନ୍ୟବାଦ ଜଣାଇଥିଲେ । ଏତଦବ୍ୟତୀତ ଆମର ଆନ୍ତର୍ଜାତୀୟସ୍ତରରୁ ଆସିଥିବା ଅତିଥିମାନଙ୍କର ସୁବିଧା ପାଇଁ କରାଯାଇଥିବା ବ୍ୟବସ୍ଥା, ଭବ୍ୟ ଆତିଥ୍ୟ ପାଇଁ ରାଜ୍ୟପାଳ ସାଧୁବାଦ ଜଣାଇଥିଲେ ।


ଉଦଯାପନୀ ସମାରୋହରେ ସମ୍ମାନନୀୟ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ଆର.ଜାଧଭ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶେଷରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଧେଶକ ଡ.ୟେଦୁଲା ବିଜୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଉଭୟ ମହିଳା ଟିମ୍ ଚମ୍ପିଆନସିପ୍  ର ବିଜେତା ଏବଂ ପୁରୁଷ ଟିମ୍ ଚମ୍ପିଆନସିପ୍ ର ବିଜେତାଙ୍କୁ ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିବା ବେଳେ ଅନ୍ୟ ପଦକ ବିଜେତାମାନଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *