ସତର୍କ କରାଇଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ – ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ – ହସ୍ପିଟାଲ, କୋର୍ଟ, ଧାର୍ମିକ ଆଦି ସ୍ଥାନ ନିକଟରେ ବାରଣ
ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ପରାମର୍ଶ
ଭୁବନେଶ୍ୱର,୧୫/୧୦/୨୦୨୫(ଓଡ଼ିଶା ସମାଚାର)- ଆଉ ସପ୍ତାହେ ପରେ ଆଲୋକର ପର୍ବ ଦୀପାବଳି । ଏହା ଭିତରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ନିର୍ଦେଶାବଳୀ ଜାରି ହୋଇଛି । ଏଥିରେ ବାଣ ଫୁଟାଇବା ସମୟକୁ ମାତ୍ର ୨ ଘଂଟାକୁ ସୀମିତ କରାଯାଇଛି । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ସହ ଅଧିକ ଧ୍ୱନି ସୃଷ୍ଟି କରୁଥିବା ବାଣକୁ ବର୍ଜନ କରିବାକୁ ନିର୍ଦେଶ ଦିଆଯାଇଛି । କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଅନୁଯାୟୀ, ଦୀପ ଜଳାଇ ଦୀପାବଳି ପାଳନ କରିବାକୁ କୁହାଯାଇଛି । ଖୋଲା ଜାଗାରେ ବାଣ ଫୁଟାଇବା ଓ ଲୋକଙ୍କ ଯିବାଆସିବା ସ୍ଥାନରେ ବାଣ ନଫୁଟାଇବାକୁ ପରାମର୍ଶ ଦିଆଯାଇଛି ।
ବାଣ ଫୁଟାଇବା ସମୟରେ ଛୋଟ ପିଲାଙ୍କୁ ଦୂରରେ ରଖିବା ସହ ପାର୍କ, ହସ୍ପିଟାଲ, କୋର୍ଟ, ଧାର୍ମିକ ଆଦି ସ୍ଥାନ ନିକଟରେ ବାଣଫୁଟାକୁ ବାରଣ କରାଯାଇଛି ।
