ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ-୨୦୨୫ମହା ସମାରୋହରେ ପାଳିତ

-ପୋଷଣ ଅଭିଯାନରେ ରାଜ୍ୟରେ ୫୪.୮୧ ଲକ୍ଷ ଅଧିକ  ବିଷୟଭିତ୍ତିକ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,୧୫/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସନ୍ତୁଳିତ ଆହାର ଓ ଉନ୍ନତ ଜୀବନଶୈଳୀ ସୁସ୍ଥ ଶରୀରର ଦୁଇଟି ଗୁରୁତ୍ୱପୂର୍ଣ୍ଣ  କାରକ। ଆମର ଉତ୍ତମ ଅଭ୍ୟାସ ଆମ ଉତ୍ତରପିଢିକୁ ପ୍ରେରଣା ଯୋଗାଏ । ମହିଳା ଓ ଶିଶୁମାନଙ୍କୁ ସଠିକ ପୋଷଣ ବିକଶିତ ଭବିଷ୍ୟତର ମୂଳଦୁଆ ବୋଲି ଆଜି   “ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ”ର ଉଦଯାପନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚଳିତ ବର୍ଷ ପୋଷଣ ମାସରେ ଜନସଚେତନତା ଏକ ଜନ ଆନ୍ଦୋଳନରେ ପରିଣିତ ହେଇଛି ବୋଲି ମତ ପ୍ରକାଶ କରିଥିଲେ ।

ଏହି ଏକମାସ ଧରି ସଚେତନତା ଅଭିଯାନରେ ପ୍ରମୁଖ ବିଷୟବସ୍ତୁ ଯେପରିକି  ମେଦବହୁଳତା ରୋକିବା ପାଇଁ ଖାଦ୍ୟ ରେ ଚିନି ଓ ତେଲ ଜାତୀୟ ଉପାଦାନ କମ୍ କରିବା, ଆଦ୍ୟ ଶୈଶବ ଅବସ୍ଥାରେ ଶିଶୁର ଯତ୍ନ ଓ ଶିକ୍ଷା/ପୋଷଣ ବି ପଢ଼ାଇ ବି,  ନବଜାତ ଓ ଶିଶୁଙ୍କ ଖାଦ୍ୟାଭ୍ୟାସ, ପୁରୁଷଙ୍କ ସହଭାଗିତା, ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣ, ସ୍ୱଦେଶୀ ପାଇଁ ସ୍ୱର – ତୃଣମୂଳ ସ୍ତରର ସଶକ୍ତିକରଣ ଓ ଆତ୍ମନିର୍ଭରତା ପ୍ରମୁଖ ବିଷୟବସ୍ତୁ ଉପରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ିରୁ ଆରମ୍ଭ କରି ଆଇସିଡ଼ିଏସ ସେକ୍ଟର,ପ୍ରକଳ୍ପ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମୂହ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଅଛି ।

ସାରା ରାଜ୍ୟରେ ୫୪,୮୧,୯୫୨ ଗୋଟି ବିଷୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦିଗଦର୍ଶନରେ ଶିଶୁଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣରେ ଶିଶୁଙ୍କ ଆପାର ଆଇଡି(APAAR ID) କରାଯାଉଛି। ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଆଭା ଆଇଡି (ABHA  ID) କରାଯାଇଛି ।

  ବିଭାଗୀୟ ସଚିବ ପୋଷଣ କ୍ଷେତ୍ରରେ ସଫଳତା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀବୃନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀବୃନ୍ଦ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ  ଓ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ନିଜ କାର୍ଯ୍ୟର ଅନୁଭୂତିକୁ ଛୋଟ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଶେୟାର କରିବା ପାଇଁ ସେ ଅଙ୍ଗନବାଡି କର୍ମୀ ଓ ଅନ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନର୍ଜୀ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ଵ ଦେଇଥିଲେ । ଦୈନିକ ବ୍ୟାୟାମ, ଯୋଗ, ପୁଷ୍ଟିକର ଖାଦ୍ୟ ଦ୍ଵାରା ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥ ଯୋଗ ଦେଇ ପୋଷଣ ସହ ଜଡ଼ିତ ବିଭାଗୀୟ ଯୋଜନା ବିଷୟରେ ଆଲୋଚନା କରିଥିଲେ । ପିଏମ ପୋଷଣ ମାଧ୍ୟମରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ । ଜନଆନ୍ଦୋଳନ ଅଧୀନରେ ପୋଷଣ ପକ୍ଷ ୨୦୨୫ ରେ ଯେଉଁ ସମୂହ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା , ସେଇ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଜନଆନ୍ଦୋଳନ ଡ୍ୟାସବୋର୍ଡ ରେ ଅପଲୋଡ କରଯାଇଥିଲା । ଏହି ଡ୍ୟାସବୋର୍ଡକୁ  ତାକୁ ଆଧାର କରି ଶ୍ରେଷ୍ଠ  ତିନୋଟି ଜିଲ୍ଲା  ପୁରୀ,  ଭଦ୍ରକ, କେନ୍ଦ୍ରପଡାକୁ  ପୁରସ୍କାର ପ୍ରଦାନ କରଯାଇଥିଲା ।

 ଏହି କାର୍ଯ୍ୟକ୍ରମରେ ସହଯୋଗୀ ବିଭାଗ ଜଙ୍ଗଲ- ପରିବେଶ ଓ ଜଳବାୟୁ ପରିବର୍ତ୍ତନର ସ୍ଵତନ୍ତ୍ର ସଚିବ- ଶ୍ରୀ ଜ୍ୟୋତି ଏମ. ପ୍ରଧାନ, ପଞ୍ଚାୟତିରାଜ  ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ- ଶ୍ରୀମତୀ ଗୀତାଞ୍ଜଳି ନାଏକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସ୍ମୃତିଜିତ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ- ଶ୍ରୀ ଦାରିଦ୍ର୍ୟ ଭଞ୍ଜନ ମହାପାତ୍ର ,ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ସଚିବ ଶ୍ରୀ ରଜତ କୁମାର ମାନସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଡେପୁଟି ସଚିବ ଶ୍ରୀମତୀ ସଙ୍ଘମିତ୍ରା ବେହେରା ପ୍ରମୁଖ  ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀବୃନ୍ଦ, ପୋଷଣ ଜିଲ୍ଲା ସଂଯୋଜକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ ଓ ବିଭାଗୀୟ ଅଧିକାରୀଗଣ  ଉପସ୍ଥିତ ଥିଲେ ଶେଷରେ ମହିଳା ଓ ଶିଶୁ ବିଭାଗର  ଅତିରିକ୍ତ ସଚିବ ଶ୍ରୀ ଏନ.ସି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ତନୁଜା  ମହାନ୍ତି , ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *