କେନ୍ଦ୍ରାପଡ଼ା,୧୨/୧୧/୨୦୨୬ (ଓଡ଼ିଶା ସମାଚାର)- ବାଲ୍ୟ ବିବାହ ନିଷେଧ ଅଧିନିୟମ ସମ୍ପର୍କରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଏକ ଜିଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଜିଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟ ସଭାଗୃହରେ ଜିଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣ ଜିଲା ସଂଯୋଜକ ଲଲାଟେନ୍ଦୁ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ ଆଇନ ବିଶେଷଜ୍ଞ ଭାବେ ଯୋଗଦେଇ କହିଲେ ବାଲ୍ୟ ବିବାହ ସମାଜ ପାଇଁ କ୍ଷତିକାରକ । ଝିଅର ବୟସ ୧୮ବର୍ଷ ଓ ପୁଅର ବୟସ ୨୧ବର୍ଷ ହେଲେ ସେମାନେ ପରଷ୍ପର ସହିତ ବିବାହ କରିପାରିବେ । ଏହାଠୁ କମ ବୟସ ହୋଇଥିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏଥିସହିତ ବାଲ୍ୟ ବିବାହ ନିଷେଧ ଆଇନର ବିଭିନ୍ନ ଧାରା ଉପରେ ସେ ବିଶେଷ ଭାବେ ଆଲୋଚନା କରିଥିଲେ ।
ପଂଚାୟତ ସ୍ତରରେ ଥିବା ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମପିଓ)ମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଅନ୍ୟତମ ପ୍ରଶିକ୍ଷକ ଭାବେ ଯୋଗଦେଇ ଜିଲାରେ ହେଉଥିବା କେତେକ ବାଲ୍ୟ ବିବାହ ସମ୍ପର୍କରେ କୌଣସି ରିପୋର୍ଟ ହେଉନଥିବା ବେଳେ ପ୍ରକୃତ ଘଟଣା ସମ୍ପର୍କରେ କିଛି ଜଣାପଡୁନି । ତେଣୁ ଗ୍ରାମ୍ୟ ସୁରକ୍ଷା କମିଟି, ପଂଚାୟତ ସୁରକ୍ଷା କମିଟି ଗୁଡିକ ଏସମ୍ପର୍କରେ ଖବର ମିଳିଲେ ତୁରନ୍ତ ବ୍ଲକ ସୁରକ୍ଷା କମିଟିକୁ ଜଣାଇବା ସହ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଭାରତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ସବିତାରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ବିଭିନ୍ନ ପଂଚାୟତର ନିର୍ବାହୀ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ଶକ୍ତିସଦନ, ୱାନଷ୍ଟପ ସେଂଟରର ପ୍ରତିନିଧିଙ୍କ ସମେତ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀନିବାସର ଅଧୀକ୍ଷିକା, ଚାଇଲ୍ଡ ଫଣ୍ଡ ଇଣ୍ଡିଆ ଓ ଉତ୍କଳ ସେବକ ସମାଜର ପ୍ରତିନିଧି, ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
