ଓ ଶେର ହୈ , ଭୁଖା ମର ଯାଏଗା , ମଗର ଘାସ ନହିଁ ଖାଏଗା

 ନୂଆପଡାରେ ଗୋଟିଏ କଥା, ଏ ଥର ଘାସିରାମ

ରାଜ୍ୟବାସୀଙ୍କୁ କ’ଣ ଏଭଳି ହୀନ ରାଜନୀତିର ଦିନ ଦେଖିବାର ଥିଲା?

ଭୁବନେଶ୍ୱର, ୧୨/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆପଡା ଉପନିର୍ବାଚନ ପ୍ରାର୍ଥୀ ମନୋନୟନକୁ ନେଇ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମଙ୍କ ଆଗରେ ଦୁଇ ରାଜନୈତିକ ଦଳଙ୍କ ହୀନ ରାଜନୀତି ଉପରେ ବିଷୋଦଗାର କରିଛନ୍ତି।

ଶ୍ରୀ ଦାସ କହିଛନ୍ତି, ବିଜେଡି ପ୍ରାର୍ଥୀ  ଦେଇପାରୁନାହିଁ। ସେପଟେ ବିଜେପିର ନିଜର ପ୍ରାର୍ଥୀ ନାହିଁ, ଅନ୍ୟ ଦଳ ଉପରେ ନଜର । ବିଜେପି ଓ ବିଜେଡିର ଏହି ସ୍ଥିତି କାହିଁକି ? କଂଗ୍ରେସ ବାରମ୍ବାର ସୂଚାଇ ଆସୁଛି ଏହି ଦୁଇ ଦଳ ଭାଇ ଭାଇ । ଉପରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ଭୋଟଦାନରୁ ବିରତ ରହି ପରୋକ୍ଷରେ ବିଜେପିକୁ ସମର୍ଥନ କରିଛି। ପୁଣି ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା, ଦୁଷ୍କର୍ମ, ଅପରାଧ ଆଦି ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲା ବେଳେ ବିଜେଡି ସହାୟତା କରୁନାହିଁ। କିନ୍ତୁ ବିଧାନସଭାକୁ ଭଣ୍ଡୁର କରି ରାଜ୍ୟ ସରକାରଙ୍କୁ ସହାୟତା କରୁଛି । ଏହା ମଧ୍ୟ ରାଜ୍ୟବାସୀ ଦେଖିଛନ୍ତି । ନୂଆପଡାରେ ବିଜେଡି ବିଜେପି ଉଭୟଙ୍କ ପ୍ରାର୍ଥୀ ଅଛନ୍ତି ପୂର୍ବତନ ଏମପି, ବିଧାୟକ ଏବଂ କର୍ମଠ କର୍ମକର୍ତ୍ତା ଅଛନ୍ତି। କିନ୍ତୁ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରି ପାରିଲେ ନାହିଁ ।

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଭୟ କରି ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ନିଜ ପକ୍ଷକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହେଲେ ନାହିଁ କାରଣ ସେ ଜଣେ ବିଚାରଵାନ ଓ ହୃଦୟବାନ ବ୍ୟକ୍ତି । ତାଙ୍କ ହୃଦୟରେ କଂଗ୍ରେସର ବିଚାରଧାରା ଅଛି । ସେ ଜଣେ ସଂଗ୍ରାମୀ ବିପ୍ଲବୀ ବ୍ୟକ୍ତି । ବିଗତ ପାଞ୍ଚଥର ନିର୍ବାଚନ ଲଢ଼ିଛନ୍ତି, ତାଙ୍କ ପାଖରେ ବାହୁବଳ ଅର୍ଥବଳ କିଛି ନାହିଁ, ତଥାପି ସେ ହାରିଯାଇ ନାହାନ୍ତି ସଂଗ୍ରାମ ଜାରୀ ରଖିଛନ୍ତି । ଏଣୁ ତାଙ୍କୁ କିଣି ପାରିଲେ ନାହିଁ କିମ୍ବା ଧମକ ଦେଇ ନିଜ ପକ୍ଷକୁ ଆଣି ପାରିଲେ ନାହିଁ । ଯାହା ପ୍ରଚାର ହେଉଛି ବିଜେପି ଦଳ ବିଜେଡି ପ୍ରାର୍ଥୀଙ୍କୁ ପ୍ରଲୋଭିତ କରିବାକୁ ସକ୍ଷମ ହେଲେ ଏବଂ ନିଜ ପକ୍ଷକୁ ନେଇସାରିଛନ୍ତି।

ବିଜେଡିର ସାମ୍ବାଦିକ ସମ୍ମିଳନୀରୁ ଜଣାପଡୁଛି ସେ ଆଉ ବିଜେଡିରେ ନାହାନ୍ତି । ସୂତ୍ରରୁ ପ୍ରକାଶ ଯେ ସେ ଗତକାଲି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଥିଲେ ଏବଂ ଆଜି ବିଜେପି କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ଚଳଚଞ୍ଚଳତା ଦେଖିବାକୁ ମିଳିଛି । ପ୍ରଚାର ହେଉଛି ବିଜେଡି ପ୍ରାର୍ଥୀଙ୍କୁ ବିଜେପିକୁ ବଦଳି କରାଯାଇଛି ଏବଂ ଏକ ବଡ଼ ଗୋଷ୍ଠୀଙ୍କ କହିବା ଅନୁଯାୟୀ ଆତଙ୍କ ସୃଷ୍ଟିକରି କୋଟି କୋଟି ଟଙ୍କା ବିନିମୟରେ ତାଙ୍କୁ ବିଜେପିକୁ ଅଣାଯାଇଛି । ବିଜେଡି ଏତେ ଆତଙ୍କିତ, ଗତ ୨୫ ବର୍ଷ ଶାସନରେ ଥିଲା, କିନ୍ତୁ ବିରୋଧୀ ଦଳକୁ ଆସିଲା ମାତ୍ରେ ସେ ବିଜେପିର ସବଡିଲର ଭଳିଆ ବ୍ୟବହାର କରୁଛି । ଯାହା ରାଜ୍ୟ ରାଜନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ । ବର୍ତ୍ତମାନ ବିଜେଡି ବିଭିନ୍ନ ଲୋକଙ୍କ ମାଧ୍ୟମରେ ଆମ ପ୍ରାର୍ଥୀଙ୍କୁ ନେଇଯିବାକୁ ଚେଷ୍ଟା ଚଳାଇଛନ୍ତି । ରାଜ୍ୟବାସୀଙ୍କୁ ଏଭଳି ହୀନ ରାଜନୀତି ଦେଖିବାକୁ ବାକିଥିଲା ।

ସେ ଆହୁରି କହିଛନ୍ତି ଘାସିରାମ ମାଝୀ ଏକ ଶେର ହୈ। ୱ ଭୁଖା ମର ଯାଏଗା ମଗର ଘାସ ନହିଁ ଖାଏଗା । ତାଙ୍କ ପାଖରେ ପଇସା ନାହିଁ କିଛି ସମ୍ବଳ ନାହିଁ କିନ୍ତୁ ଆତ୍ମ ବିଶ୍ୱାସ ଅଛି । ପାଞ୍ଚଥର ହାରିଥିବା ମାଝିଙ୍କ ପ୍ରତି ଲୋକଙ୍କ ସମବେଦନା ଅଛି ତା ସାଥିରେ ଆଦିବାସୀ ସମାଜ ତାଙ୍କ ସହିତ ଅଛି । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା, ପଞ୍ଚାଥର ହାରିଲାଣି, ଇସବାର ଘାସିରାମ କୋ ଦେଖେଙ୍ଗେ । ଆଜି ସାରା ରାଜ୍ୟରେ କଂଗ୍ରେସର ବାତାବରଣ ସୃଷ୍ଟି ହୋଇଛି । ଯିଏ କଂଗ୍ରେସର ବିଚାରଧାରାରେ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ, ଯିଏ ସ୍ୱାଭିମାନୀ ଯିଏ ସଂଗ୍ରାମୀ ସେମାନଙ୍କୁ କଂଗ୍ରେସକୁ ସ୍ୱାଗତ । ଆମେ ସେମାନଙ୍କୁ ନୈତିକ ସାହସ ଦେବୁ, ନ୍ୟାୟର ସଂଗ୍ରାମ ପାଇଁ ଲଢ଼ିବୁ, ମୁଣ୍ଡ ଉଚ୍ଚ କରି ସ୍ୱାଭିମାନ ଏବଂ ସତ୍ୟର ପଥେ ନେଇ ପାରିବୁ । ଏହି କିଣାବିକା ହୀନ ରାଜନୀତିରୁ ଊର୍ଧ୍ଵରେ ରହି ଏକ ଭିନ୍ନ ରାଜନୀତି କରିବା ସୁଯୋଗ ଦେଇପାରିବୁ ବୋଲି ପିସିସି ସଭାପତି ଦୃଢତାର କହିଥିଲେ ଏବଂ ରାଜନୀତି ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *