ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଶିକ୍ଷା, କୁସଂସ୍କାର ଦୂରୀକରଣ, ମହିଳା ସଶକ୍ତିକରଣ ଏବଂ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତ ବର୍ଷରେ ନୂତନ ଜାଗରଣ ସୃଷ୍ଟି କରିଥିଲେ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଯେତେବେଳେ ଭାରତ ବିଦେଶୀ ଶାସନ ଅଧିନରେ ସଂଘର୍ଷ କରୁଥିଲା, ସେହି ସମୟରେ ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ, ପରାଧୀନ ଭାରତ ବର୍ଷରେ ଅଜ୍ଞତାର ଅନ୍ଧକାର ଓ ଅସାମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

         ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍ ଠାରେ ଆୟୋଜିତ ଆର୍ଯ୍ୟ ମହା ସମ୍ମେଳନ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଆମେ ଗତ ୧୫୦ ବର୍ଷକୁ ଦେଖିବା ତେବେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ । ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ ।

ସେ ପୁଣି କହିଥିଲେ, ପରାଧୀନ ଭାରତ ବର୍ଷରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏଭଳି ଜଣେ ସନ୍ଥ ଥିଲେ ଯିଏ ଅନ୍ଧ ବିଶ୍ୱାସ, ଜାତିପ୍ରଥା ଏବଂ ସାମାଜିକ କୁସଂସ୍କାରକୁ ଚ୍ୟାଲେଞ୍ଜ କରିବାକୁ ସାହସ କରିଥିଲେ । ପରାଧୀନ ଭାରତ ବର୍ଷରେ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା । ସ୍ୱାମୀ ଦୟାନନ୍ଦଙ୍କ ଦିଗ୍‌ଦର୍ଶନରେ ବାଲ୍ୟ ବିବାହକୁ ବିରୋଧ, ମହିଳା ଶିକ୍ଷାକୁ  ଗୁରୁତ୍ୱ, ବିଧବା ପୁନଃ ବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ସମାଜକୁ ଏକ ନୂଆ ବାର୍ତ୍ତା ଦେଇଥିଲା ଆର୍ଯ୍ୟ ସମାଜ ।

          ସେ ଆହୁରି କହିଥିଲେ, ଆଜି ଆମେ ମହିଳାଙ୍କ ବିକାଶ ପାଇଁ ମହିଳା ସଶକ୍ତିକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ବିଷୟରେ ଯେଉଁ କାର୍ଯ୍ୟ କରୁଛୁ ତାହା ହେଉଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ମାର୍ଗ ଦର୍ଶନ ।

ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବ ସଶକ୍ତି କରଣର ପ୍ରଥମ ଚମ୍ପିଆନ ଥିଲେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ । ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ପାଇଁ ଓ ନିଜ ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ଅତିଥିମାନେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ବିଶିଷ୍ଟ ସମାଜସେବୀ ଶ୍ରୀ ଜଗଦିଶ ପ୍ରସାଦ ଖାଡାଙ୍ଗା, ଆର୍ଯ୍ୟ ପ୍ରତିନିଧି ସଭା ନୂଆଦିଲ୍ଲୀର ଉପସଭାପତି ଶ୍ରୀ ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *