ଭୁବନେଶ୍ୱର,୦୬/୧୦/୨୦୨୫ (ଓଡ଼ିଶା ସମାଚାର)- ଦଶହରା ଭସାଣି କୁ କେନ୍ଦ୍ରକରି ଶାନ୍ତି ଓ ସଦଭାବନାର ପ୍ରତୀକ ତଥା ନେତାଜୀ ସୁଭାଷ ବୋଷଙ୍କ ଜନ୍ମମାଟି କଟକ ସହରରେ ସୃଷ୍ଟି ହୋଇଥିବା ଅଶାନ୍ତି ଓ ସାମ୍ପ୍ରଦାଦାୟିକ ବିଦ୍ୱେଷ ର ପୂର୍ଣ୍ଣଛେଦ ପକାଇବା ପାଇଁ ଭୁବନେଶ୍ବର ରେ ନାଗରିକ ସମାଜ ଏକଜୁଟ ହୋଇ ନିବେଦନ କରିଛନ୍ତି । ଆଗାମୀ ୯ ଅକ୍ଟୋବର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ର ଜନ୍ମତିଥିରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଶାନ୍ତି ଓ ସଦଭାବନା ଯାତ୍ରା ଆୟୋଜନ ପାଇଁ ଦଳ-ମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ଏହି ବୈଠକରେ ନିବେଦନ କରାଯାଇଛି।
ଦିଲ୍ଲୀ ବିଶ୍ଵବିଦ୍ୟାଳୟ ର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି, ସାମ୍ବାଦିକ ସୁଧୀର ପଟ୍ଟନାୟକ, କୃଷକ ନେତା ଲିଙ୍ଗରାଜ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ପ୍ରମୁଖଙ୍କ ଆହ୍ୱାନରେ ଆଜି ର ଏହି ନାଗରିକ ସଭାରେ କଟକରେ ସୃଷ୍ଟି ହୋଇଥିବା ଏହି ଅଶାନ୍ତକର ପରିସ୍ଥିତି ପାଇଁ ଗଭୀର
ଉଦବେଗ ପ୍ରକାଶ ପାଇଛି। ଶହଶହ ବର୍ଷ ଧରି କଟକର ସାହି, ଗଳି ଓ ବଜାର ରେ ଯେଉଁ ଭାତୃତ୍ବ, ଶାନ୍ତି ଓ ସଦଭାବନା ବଞ୍ଚିରହିଛି, ତାହାକୁ କୈାଣସି ଭାବରେ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ଵ ବୋଲି ନାଗରିକ ସମାଜ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସମସ୍ତ ପ୍ରକାର ମୈାଳବାଦୀ ତଥା ବିଭେଦକାରୀ ଶକ୍ତି ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ସହିତ ଭାଇଚାରାର ସହର କଟକରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରାଯାଇଛି।
ଏହି ନାଗରିକ ସମାଜ ବୈଠକରେ ବିଭିନ୍ନ ବର୍ଗର ବ୍ୟକ୍ତି ତଥା ନେତୃତ୍ୱ ଯଥା ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ସୁରେଶ ପାଣିଗ୍ରାହୀ, ଅଭିରାମ ମଲ୍ଲିକ, ନାରାୟଣ ରେଡ୍ଡୀ, ଜ୍ୟୋତିରଞ୍ଜନ ମହାପାତ୍ର, ମୋହନ ନାଇଡୁ, ପୁଷ୍ପା ଦାସ, ବଦ୍ରିନାରାୟଣ ଦାସ, ନରେନ୍ଦ୍ର ମହାନ୍ତି, ସତୀଶ ମିଶ୍ର, ନିରଞ୍ଜନ ମହାନ୍ତି, କଲ୍ୟାଣ ଆନନ୍ଦ, ସନ୍ଦୀପ ପଟ୍ଟନାୟକ, ଧୀରେନ୍ଦ୍ର ପଣ୍ଡା, ମାନସ ପଟ୍ଟନାୟକ, ସର୍ବେଶ୍ଵର ସାହୁ, ରୁମିତା କୁଣ୍ଡୁ ଓ ଅନ୍ୟମାନେ ଯୋଗ ଦେଇଥିଲେ।
