କଟକ ସଦ,୦୫/୧୦/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ଚୌଦ୍ବାର ମଣ୍ଡଳ କାରାଗାରରୁ ଯୋଜନାବଦ୍ଧ ଭାବେ ଗତ ଦଶହରା ଦିନ ଦୁଇ ହାର୍ଡକୋର ଵିହାରୀ ଅପରାଧୀ ଫେରାର ହୋଇଯିବାକୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ସେମାନଙ୍କ ର ଟେର୍ ପାଇନଥିବା ଜଣାପଡିଛି। ହେଲେ ପୋଲିସ ପକ୍ଷରୁ ସେଲ୍ ଯାଞ୍ଚ କରାଯାଇଥିବା ବେଳେ ସେଠାରେ ପାଇଖାନା ଭିତରୁ ମୋବାଇଲ ଫୋନ,ଚାର୍ଜର ଓ ପାୱ।ର ବ୍ୟାଙ୍କ୍ ମିଳିଛି। ସୁରକ୍ଷିତ ଜେଲ୍ ଭିତରକୁ ଲୁହା ରଡ଼ କାଟିବାକୁ ଆରି କିପରି ଗଲା,ମୋଇଲ୍ ଫୋନ୍ ଓ ତାର ସରଞ୍ଜାମ କିପରି ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହା ପଛରେ ଏକ ବଡଧରଣର ଷଡ଼ଯନ୍ତ୍ର ର ଗନ୍ଧ ବାରି ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଏହି ଘଟଣା ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ଼ କରି ଲୁଟପାଟ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। ଏହି ଲୋମହର୍ଷକ ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଅପରାଧୀଙ୍କୁ କାବୁ କରି ପୋଲିସ ଜିମାକୁ ହସ୍ତାନ୍ତର କରିଥିଲେ। ତେବେ ଏବେ ଜେଲ୍ ରୁ ଫେରାର ହେବା ଘଟଣାରେ ଜେଲ ଡିଜି ସୁଶାନ୍ତ ନାଥ ଚିଫ ୱାର୍ଡ଼ର ଭଗତ ରାମ ଓ ୱାର୍ଡ଼ର ସିଦ୍ଧାର୍ଥ ସାହୁ ଙ୍କୁ ନିଲମ୍ବିତ କରିଛନ୍ତି । ବିହାରର ଫେରାର ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କ ଫଟୋ ଜାରି କରିବା ସହ ୫୦୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ପୁଲିସ୍ ଟିମ୍ ବିହାର ଯାଇ ସେଠାରେ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୁଇ ଫେରାର ହାର୍ଡକୋର ଅପରାଧୀ ଙ୍କର ପତ୍ତା ମିଳିପାରିନାହିଁ ।
