ଭୁବନେଶ୍ୱର,୨୪/୦୫/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟରେ ଗ୍ରାମୀଣ ଡିଜିଟାଲ୍ ଭିତିଭୂମିକୁ ବ୍ୟାପକ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏବଂ ଭାରତ ସଂଚାର ନିଗମ ଲିମିଟେଡ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରି “ଭାରତ ନେଟ୍ ପରିଯୋଜନା’ ତୃତୀୟ ପର୍ଯ୍ୟାୟର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ବା ‘ଡିଜିଟାଲ୍ ଭାରତ’ ସଂକଳ୍ପକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ପ୍ରମୁଖ ମାଇଲଷ୍ଟୋନ ସାବ୍ୟସ୍ତ ହେବ ଏବଂ ଉଚ୍ଚ ଗତିସମ୍ପନ୍ନ ଇଂଟରନେଟ୍ ସେବା ମାଧ୍ୟମରେ ଗ୍ରାମାଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବୈଦ୍ୟୁତିକ ପ୍ରଶାସନ ବା ଇ-ଗଭର୍ନାନ୍ସ ଏବଂ ଡିଜିଟାଲ୍ ଅର୍ଥନୀତିକୁ ଆହୁରି ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ ଡ଼. ମହାଲିଙ୍ଗ ଏହି ଅବସରରେ କହିଛନ୍ତି । ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୪୦୦୦ କୋଟି ଟଙ୍କା ବିନିଯୋଗ କରିବେ ଏବଂ ଏହି ସମଗ୍ର ପ୍ରକଳ୍ପକୁ ଆଗାମୀ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କାର୍ଯ୍ୟକାରୀ ପ୍ରଣାଳୀ ଅନୁଯାୟୀ, ପ୍ରତି ବ୍ଲକକୁ ଗୋଟିଏ ୟୁନିଟ ବା ଏକକ ହିସାବରେ ଗ୍ରହଣ କରାଯାଇ ପ୍ରଥମେ ବ୍ଲକ ସ୍ତରୀୟ ଆଲୋକୀୟ ତନ୍ତୁ ବା ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ସେଠାରୁ ପ୍ରତି ଗ୍ରାମ ପଂଚାୟତକୁ ଯୋଡ଼ାଯାଇ ପଂଚାୟତ ସ୍ତରୀୟ ସଂଯୋଗୀକରଣ କେନ୍ଦ୍ର ସ୍ଥାପନ ହେବ ଏବଂ ପରବର୍ତୀ ସମୟରେ ପଂଚାୟତରୁ ଉପଭୋକ୍ତାମାନଙ୍କ ଘରକୁ ଘର ସଂଯୋଗ ଯୋଗାଇ ଦିଆଯିବ । ଏହି ଯୋଜନାରେ ଆବେଦନ କଲାପରେ ଆବେଦନକାରୀଙ୍କୁ ତୁରନ୍ତ ଆଲୋକୀୟ ତନ୍ତୁ ସଂଯୋଗୀକରଣ ସହ ଦୂରଭାଷ ବା ଟେଲିଫୋନ ଏବଂ ବ୍ରୋଡବ୍ୟାଣ୍ଡ ସେବା ଉପଲବ୍ଧ କରାଯିବ । ଏହା ସହିତ ଗ୍ରାମାଂଚଳରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ମଧ୍ୟ ଏହି ଉଚ୍ଚ ଗତିସମ୍ପନ୍ନ ନେଟୱର୍କ ସହ ଯୋଡ଼ାଯିବ, ଯାହାଫଳରେ ଗ୍ରାମୀଣ ଓଡ଼ିଶାରେ ନିରବଚ୍ଛିନ୍ନ ଇଂଟରନେଟ୍ ସେବା ଭିତିଭୂମି ଅତ୍ୟନ୍ତ ସୁଦୃଢ଼ ହୋଇପାରିବ ।
ଏହି ସମୀକ୍ଷା ବୈଠକରେ ଭାରତ ସଂଚାର ନିଗମ ଲିମିଟେଡ୍ ବୋର୍ଡର ନିର୍ଦେଶକ (ଉଦ୍ୟୋଗ) ପାପା ସୁଧାକର ରାଓ, ବିଏସଏନଏଲ୍ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଡି. କେ. ବେହେରା ଏବଂ ଓଡ଼ିଶା କମ୍ପ୍ୟୁଟର୍ ଆପ୍ଲିକେସନ୍ ସେଂଟର ବା ଓକାକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତଙ୍କ ସମେତ ଅନ୍ୟାନ୍ୟ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପର ସଫଳ ରୂପାୟନ ସମ୍ପର୍କରେ ନିଜ ନିଜର ବୈଷୟିକ ମତାମତ ଉପସ୍ଥାପନ କରିଥିଲେ ।
