ଗରଦପୁର, ୦୫/୧୦/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ ବେତ୍ରା ପଂଚାୟତସ୍ଥିତ ଭାରିଗୋଳ – ମନ୍ମଥପୁର ଗ୍ରାମର ସୁଜିତ କୁମାର ଚକ୍ଷୁଦାନ କରି ଅମର ହୋଇଛନ୍ତି । ସୀତାକାନ୍ତ ତ୍ରିପାଠୀ ଓ ପ୍ରଭାତୀ ତ୍ରିପାଠୀଙ୍କ ବଡ଼ ପୁଅ ସୁଜିତ କୁମାର ତ୍ରିପାଠୀ ମାତ୍ର ୨୪ ବର୍ଷ ଗତକାଲି କେନ୍ଦ୍ରାପଡ଼ା କଜଳା ଛକ ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ । ଏକ ଅଜଣା ଗାଡ଼ି ସୁଜିତ ଙ୍କୁ ଧକା ଦେଇ ଫେରାର ହୋଇ ଯାଇଥିଲା ।
ଭୋର ସମୟରେ ହୋଇଥିବା ଏହି ଦୂର୍ଘଟଣା ରେ ସୁଜିତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡ଼ାକ୍ତର ସେଠାରେ ସୁଜିତଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଏହି ଦୂର୍ଘଟଣାରେ ସୁଜିତଙ୍କ ଆଖି ଦୁଇଟି ସମ୍ପୂର୍ଣ୍ଣ ଭଲ ଥିବା କାରଣରୁ ଡ଼ାକ୍ତର ସୁଜିତଙ୍କ ବାପା, ମା ଓ ପରିବାର ଲୋକଙ୍କୁ ସୁଜିତଙ୍କ ଚକ୍ଷୁ ଦାନ ପାଇଁ ଅନୁରୋଧ କରିଥିଲେ ।
ଡ଼ାକ୍ତରଙ୍କ ଅନୁରୋଧରେ ବାପା ସୀତାକାନ୍ତ ଓ ମା ପ୍ରଭାତୀ , ମାନସ ରଂଜନ ପଣ୍ଡା , ଆନ୍ତର୍ଯ୍ୟାତିକ ମାନବଅଧିକାର କମିଶନ ଗରଦପୁର ବ୍ଲକ୍ ପ୍ରେସିଡ଼େଂଟ ଜ୍ୟୋତିରଂଜନ ପରିଡ଼ା ଓ ୱାର୍ଡ଼ ମେମ୍ବର ବିଶ୍ୱରଂଜନ ତ୍ରିପାଠୀ ପ୍ରମୁଖ ରାଜି ହୋଇ ଚକ୍ଷୁଦାନ କରାଇ ସୁଜିତଙ୍କୁ ଅମର କରାଇବାକୁ ସମ୍ମତି ଦେଇଥିଲେ । ଭୁବନେଶ୍ୱରର ଏଲବି ପ୍ରସାଦ ଘରୋଇ ଚକ୍ଷୁ ହସପିଟାଲକୁ ସୁଜିତ ଙ୍କ ଚକ୍ଷୁ ଦାନ କରାଯାଇଥିଲା ।
ସୁଜିତ ଆଜି ଆମ ଗହଣରେ ନାହାନ୍ତି ସତ , କିନ୍ତୁ ସୁଜିତଙ୍କ ପରିବାର ଏତେ ବଡ଼ ଦୁଃଖଦ ସମୟରେ ଏହି ତ୍ୟାଗ ଓ ଏହି ମହାନ ଦାନ ପାଇଁ ସୁଜିତ ଅମର ହେବା ସହିତ ଏହି ପରିବାରକୁ ସବୁଆଡ଼ୁ ପ୍ରସଂଶା କରାଯାଇଛି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, , ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ସରପଂଚ ସଂଯୁକ୍ତା ମହାପାତ୍ର ଏହି ଦୁଃଖଦ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି ।
