ଦର୍ଶକଙ୍କ ପାଇଁ ଆବଶ୍ୟକ ସୁବିଧା ଓ ସୁରକ୍ଷିତ ବାଲିଯାତ୍ରାକୁ ଗୁରୁତ୍ୱ
ଭୁବନେଶ୍ୱର,୦୫/୧୦/୨୦୨୫ (ଓଡ଼ିଶା ସମାଚାର)-ଐତିହାସିକ ବାଲିଯାତ୍ରା, କଟକ ୨୦୨୫ ଆଗାମୀ ନଭେମ୍ବର ୫ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବୃହତ୍ ବାଣିଜି୍ୟକ ମେଳାର ଆୟୋଜନ ସଂପର୍କରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି ପ୍ରସ୍ତୁତି ସମୀକ୍ଷା କରିଥିଲେ । ବୈଠକରେ ଉନ୍ନୟନ କମିଶନର ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ସହ ସେମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ କଟକ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ. ବିଜୟ କେତନ ଉପାଧ୍ୟାୟ, କଟକ ମହାନଗର ନିଗମ କମିଶନର ତଥା ସିଡିଏ ଉପଧ୍ୟକ୍ଷା କୀରନଦୀପ କୌର ସହୋଟା, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ କଟକ ଜିଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଜରୁରୀ ପରିସ୍ଥିତିରେ ଲୋକମାନେ ଯେପରି ବାଲିଯାତ୍ରା ପଡ଼ିଆରୁ ତୁରନ୍ତ ବାହାରି ପାରୁଥିବେ, ତାହାକୁ ଦୃଷ୍ଟିରେ ରଖି ପ୍ରବେଶ ରାସ୍ତା ସହିତ ଅଧିକ ସଂଖ୍ୟକ ପ୍ରସ୍ଥାନ ବ୍ୟବସ୍ଥା ସହ ଏ ସଂପର୍କରେ ଦୃଶ୍ୟମାନ ଅଧିକ ଗ୍ଲୋ-ସାଇନବୋର୍ଡ ଲଗାଇବା, ସାଇନେଜ୍ ବ୍ୟବସ୍ଥା କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି ।
ବାଲିଯାତ୍ରାରେ କେଉଁ କେଉଁ ସ୍ଥାନରେ କ’ଣ ସୁବିଧା ଉପଲବ୍ଧ ଅଛି ଏବଂ ଜରୁରୀ ସହାୟତା ଆବଶ୍ୟକତା ପାଇଁ ଏକ ମୋବାଇଲ ଆପ୍ ବିକଶିତ କରିବାକୁ ସେ କଟକ ଜିଲାପାଳଙ୍କୁ ପରାମର୍ଶ ଦେିଛନ୍ତି । ଏଥି ସହିତ ପୂର୍ବ ଆଲୋଚନା ମୁତାବକ ପୁଲିସ୍ ପ୍ରଶାସନ ସହ ଜରୁରୀ କାର୍ଯ୍ୟ ରହୁଥିବା ବିଭିନ୍ନ ବିଭାଗମାନଙ୍କୁ ନେଇ ସମନ୍ୱିତ କଂଟ୍ରୋଲ ରୁମ ସ୍ଥାପନ ପାଇଁ ପରାମର୍ଶ ଦେଇଛନ୍ତି ।
ବୈଠକରେ କଟକ ଜିଲାପାଳ, ବାଲିଯାତ୍ରା ସଂପର୍କିତ ଆବଶ୍ୟକ ବିଭିନ୍ନ ସୂଚନା ପାଇଁ ବାଲିଯାତ୍ରା ୱେବସାଇଟ୍ ଉପଲବ୍ଧ ଥିବା ପ୍ରକାଶ କରିଥିଲେ । ବାଲିଯାତ୍ରାର ଆୟୋଜନ ସଂପର୍କିତ ନକ୍ସାକୁ ଉନ୍ନୟନ କମିଶନର ଅନୁଧ୍ୟାନ କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଗହଳି ନିୟନ୍ତ୍ରଣ ପାଇଁ କମିଶନରରେଟ୍ ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆଠାରୁ ଏବଂ ଯୋବ୍ରା ପଟୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାତାୟତ ପାଇଁ କ୍ରୁଟ୍ ତରଫରୁ ଦେୟମୁକ୍ତ ଶଟଲ ସେବା ସୁବିଧା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ବାଲିଯାତ୍ରା ସୁରିଚାଳନା ପାଇଁ ବିଭିନ୍ନ ସବ୍ କମିଟି ମାନେ ନିୟମିତ ସମୀକ୍ଷା କରି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।
