ଭୁବନେଶ୍ୱର,୩୧/୦୮/୨୦୨୫ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ହୋଇଛି ।

ରାଜ୍ୟରେ ଶିକ୍ଷାର ଭିତିଭୂମି, ମାନବୃଦ୍ଧି, ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏ ଭେଟଘାଟର ଗୁରୁତ୍ୱ କେବଳ ଶିକ୍ଷାରେ ସୀମିତ ହୋଇ ରହିନାହିଁ । ଓଡିଶାର ଟପ୍ ଥ୍ରୀ ନେତାଙ୍କ ଭିତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ । ଉଭୟ ମୋହନ- ଧର୍ମେନ୍ଦ୍ରଙ୍କ ଭିତରେ ଏହି ସାକ୍ଷାତ, ବୈଠକ, ଆଲୋଚନା ହୁଏତ ସୌଜନ୍ୟମୂଳକ ଲାଗିପାରେ । କିନ୍ତୁ ଏହି ଭେଟ ଉଭୟ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରୁଛି ।
ରାଜ୍ୟରେ ମୋହନ ମାଝୀଙ୍କ ସରକାରଙ୍କୁ ୧୪ ମାସ ବିତିଛି । କିନ୍ତୁ ଭୁବନେଶ୍ୱରରେ ଉଭୟ ନେତାଙ୍କ ମଧ୍ୟରେ ଏହି ଭେଟଘାଟ୍ ଭଳି କମ୍ ଦେଖିବାକୁ ମିଳିଛି । ପୂର୍ବରୁ ଅଗଷ୍ଟ ୨୦୨୪ରେ ପିଏମ ଉଷା ନେଇ ଚୁକ୍ତି ସ୍ୱାକ୍ଷରିତ ବେଳେ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ ନେଇ ରାଜ୍ୟ ଅତିଥି ଭବନରେ ହୋଇଥିବା ବୈଠକରେ ଉଭୟଙ୍କ ମଧ୍ୟରେ ସିଧାସଳଖ ଭେଟଘାଟ୍ ହୋଇଥିଲା । କିନ୍ତୁ ଲୋକସେବା ଭବନର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରାୟତ ଏମିତି ସାକ୍ଷାତ ଆଲୋଚନା ଉଭୟ ନେତାଙ୍କ ମଧ୍ୟରେ ହୋଇନାହିଁ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ଭେଟଘାଟ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ରଖୁଛି । ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଏହାର କିଛିଦିନ ପରେ ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଯାଇ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ଭେଟିଛନ୍ତି ।
ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ସମ୍ପ୍ରସାରଣ, ନିଗମ ଚର୍ଚ୍ଚା ଭିତରେ ଏହି ଭେଟଘାଟ ବେଶ ରୋଚକ ଓ ଗୁରୁତ୍ୱ ପୂର୍ଣ୍ଣ ଭେଟଘାଟ ବୋଲି କୁହାଯାଉଛି । ଉଭୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଭେଟକୁ ନେଇ ଏକ୍ସ ପୋଷ୍ଟ ଏହି କଳ୍ପନାଜଳ୍ପନାକୁ ବଢାଇ ଦେଇଛି । ଉଭୟ ସାକ୍ଷାତ ଆଲୋଚନା ନେଇ ଶିକ୍ଷା ବାବଦରେ କିଛି ବିସ୍ତୃତ ବାବଦରେ ସୂଚନା ନାହିଁ । ଶିକ୍ଷା ବ୍ୟବସ୍ଥାକୁ ଛାଡିଦେଲେ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ପାଇଁ ଏହା ବେଶ ଗୁରୁତ୍ୱୂର୍ଣ୍ଣ ବୋଲି କୁହାଯାଉଛି ।
ଇିପରୀତ ଦିଗରେ ଗତି କରୁଥିବା ଏହି ନେତା ଦ୍ୱୟ ହଠାତ୍ ଏକାଠି ହେବା ନିଶ୍ଚିତ ଭାବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ବିଭିନ୍ନ ମହଲରେ ନାନା ଗୁଞ୍ଜରଣ ହେଉଛି । ଫଳରେ ରାଜ୍ୟ ରାଜନୀତିରେ କେତେବେଳେ କ’ଣ ଘଟୁଛି, ତାହା କହିବା ମୁସ୍କିଲ ।
କିଛି ଚର୍ଚ୍ଚା ଅନୁସାରେ, ରାଜ୍ୟର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଉଭୟ ଧର୍ମେନ୍ଦ୍ର ଓ ମୋହନ କୁଆଡ଼େ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ତାହା ସରକାରୀ ଭାବେ କିଛି କୁହାଯାଇନାହିଁ । ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ଅନୁଗତ ତିନି ମନ୍ତ୍ରୀ ଉପସ୍ଥିତ ଥିଲେ । ସେମାନେ ହେଉଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେମାନଙ୍କ ଉପସ୍ଥିତି ବି ଆଲୋଚନାକୁ ରୋଚକ କରିଛି । ଟିମ୍ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ଏକ ଘଂଟା ଧରି ଆଲୋଚନା କରିଥିବା କୁହାଯାଉଛି । ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେମାନେ ଲେଖିଛନ୍ତି ଯେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିବା ସହିତ ଓଡ଼ିଶାର ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲୁ । ଉଭୟ ନେତା ଯାହା କୁହନ୍ତୁନା କାହିଁକି ଏବର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଥିବା କୁହାଯାଉଛି ।
