କଟକ,୨୭/୧୦/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ସହିଦ ଭବନଠାରେ କଟକ ଗ୍ରାମାଂଚଳ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ନାଗରିକ, ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର୍ ଅପରାଧ ନିବାରଣ, ଅନ୍ ଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍ ସ୍ୱାକ୍ଷରତା ବିଷୟରେ ସଚେତନତା ପ୍ରସାର କରିବାରେ କିପରି ସହାୟକ ହେବ , ସେ ବିଷୟରେ କାର୍ଯ୍ୟକ୍ରମରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ ।
କଟକ ଗ୍ରାମାଂଚଳ ଏସପି ବିନିତ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ପୁଲିସ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ନିଆଳି ବିଧାୟକ ଛବି ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ଏକ ସଚେତନତାର ରଥର ଶୁଭାରମ୍ଭ ହୋଇଥିଲା ।
