ନୂଆଦିଲ୍ଲୀ/ ଭୁବନେଶ୍ୱର,୦୧/୧୦/୨୦୨୫ (ଓଡ଼ିଶା ସମାଚାର)- ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟ ପାଇଁ ନୂଆ ଶୁ୍ଳ୍କ ବ୍ୟବସ୍ଥା ଲାଗୁ ହୋଇଛି । ବିଭାଗ ପକ୍ଷରୁ ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି । ଗ୍ରାହକଙ୍କ ପରିବର୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ ବିଭାଗ ଏହି ପଦକ୍ଷେପ ନେଇଥିବା ଦର୍ଶାଇଛି ।
ଏଥିରେ କୁହାଯାଇଛି ଯେ ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି । ପ୍ରାୟତଃ ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି । ସେହିପରି ୫ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ । ପ୍ରକାଶ, ଦୀର୍ଘ ୧୩ ବର୍ଷ ପରେ ଏହି ଶୁଳକ ବୃଦ୍ଧି ପାଇଛି ।
ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା । ସେହିପରି ନୂଆ ସୁବିଧା ମଧ୍ୟରେ ରହିଛି ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଂଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା ଇତ୍ୟାଦି ।
