ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଶା ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତି

ଜଗତସିଂହପୁର, ୨୪/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣର  ନିର୍ଦ୍ଦେଶକ୍ରମେ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ବାବଧାନରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲା ଅଦାଲତ ପରିସରରେ ସଚିବ ବିଡିଡି ଚନ୍ଦନାଙ୍କ ଦ୍ଵାରା ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ମାନସ ରଞ୍ଜନ ପାଠକ ଜଗତସିଂହପୁର ଜିଲ୍ଲା ଅଦାଲତକୁ ଗସ୍ତରେ ଆସି ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ୫ଟି ବ୍ଲକ ରୁ ମୋଟ ୧୧୧ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ।

ପ୍ରତିଯୋଗିମାନଙ୍କୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଥିଲା । ଶିଶୁଙ୍କ ଅଧିକାର, ପିଲାମାନଙ୍କ ଶିକ୍ଷାଗତ  ଅଧିକାର, ଭିନ୍ନକ୍ଷମ ପିଲାମାନଙ୍କୁ ସୁରକ୍ଷା, ଶୈଶବ ଉପରେ ପ୍ରଯୁକ୍ତିର ପ୍ରଭାବ, ବାଲ୍ୟ ବିବାହ ନିଷେଧ, ପିଲାମାନଙ୍କ ଉପରେ ସୋସିଆଲ ମିଡିଆର କୁପ୍ରଭାବ, ଶିଶୁ ଚାଲାଣ ବିଷୟରେ ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଅରବିନ୍ଦ ପଟ୍ଟନାୟକ ଏବଂ ଉଚ୍ଚ ନ୍ୟାୟାଳୟ କିଶୋର ନ୍ୟାୟ କମିଟିର ସଚିବ ରୁଦ୍ର ପ୍ରସାଦ ମହାନ୍ତି ମଧ୍ୟ ପରିଦର୍ଶନ କରିଥିଲେ ।

ଅନ୍ୟାନ୍ୟଙ୍କ ମଧ୍ୟରେ ସ୍ଵତନ୍ତ୍ର ପୋକ୍ସୋ ଅଦାଳତାର ଆଡହକ୍ ଅତିରିକ୍ତ ଜିଲ୍ଲା ଜଜ୍ ଏସ୍.ଏ.କେ.ଜେଡ୍ ଜାହିରା ଅହମ୍ମଦ, ପରିବାର ଅଦାଲତ ବିଚାରପତି ରଶ୍ମିତା ଦଳେଇ, ସ୍ଵତନ୍ତ୍ର ପୋକ୍ସୋ ଅଦାଲତର ଅତିରିକ୍ତ ଜିଲ୍ଲା ଜଜ୍ ଗାର୍ଗୀ ପଟ୍ଟନାୟକ, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ବରିଷ୍ଠ ଦିବାନୀ ବିଚାରପତି ରାକେଶ କୁମାର ମୁଦୁଲି, ବରିଷ୍ଠ ଦିବାନୀ ବିଚାରପତି (ଏଲ୍.ଆର୍) ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି,  ଦିବାନୀ ଅଦାଲତ ନିବନ୍ଧକ ବିଶ୍ଵକଳ୍ପିତା ମହାନ୍ତି, ଏସ.ଡି.ଯେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନସିଫ ଅନନ୍ୟା ଦାସ, ଯେ.ଏମ.ଏଫ୍.ସି ଅଙ୍କିତ ଦେୱାଙ୍ଗନ, ପାରା ଲିଗାଲ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଦେଇଥିଲେ ।

Leave a Reply

Your email address will not be published. Required fields are marked *