ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ଦେଶକୁ ଦେଲେ ଅନେକ ଉପହାର

ଝାରସୁଗୁଡା/ଭୁବନେଶ୍ୱର/ବ୍ରହ୍ମପୁର,୨୭/୦୯/୨୦୨୫(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଝାରସୁଗୁଡା ଠାରେ ଆୟୋଜିତ ଯୁବସମାବେଶକୁ ସମ୍ବୋଧିତ କରି ପ୍ରଥମେ ଜୟ ଜଗନ୍ନାଥ, ମା ସମଲେଇ ଓ ମା ରାମଚଣ୍ଡୀଙ୍କ ନାମ ଉଚ୍ଚାରଣ କରିଥିଲେ । ଶ୍ରୀ ମୋଦି କହିଥିଲେ, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନ ସମୟରେ, ଓଡ଼ିଶାବାସୀ ନୂତନ ପ୍ରତିବଦ୍ଧତା ସହିତ ଏକ ବିକଶିତ ଓଡ଼ିଶା ଆଡ଼କୁ ଆଗକୁ ବଢ଼ିବାକୁ ସଂକଳ୍ପ ନେଇଥିଲେ । ଡବଲ ଇଂଜିନ ସରକାରରେ ବିକାଶର ଗତି ଏବେ ଡବଲ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କର୍ମଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ମୋଦିଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରକୃତି ଓଡ଼ିଶାକୁ ପ୍ରଚୁର ପରିମାଣରେ ଆଶୀର୍ବାଦ ଦେଇଛି । କେନ୍ଦ୍ର ସରକାର ସମ୍ପ୍ର୍ରତି ଓଡ଼ିଶା ପାଇଁ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ମଞ୍ଜୁର କରିଛନ୍ତି । ଚିପ୍ ଠାରୁ ଜାହାଜ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ପୁନଃ ଦୋହରାଇଥିଲେ । ଶ୍ରୀ ମୋଦି କହିଥିଲେ ଯେ କଂଗ୍ରେସର ଲୁଟତନ୍ତ୍ରରୁ ଦେଶକୁ ବାହାରକୁ ଆଣିଛି ବିଜେପି । କଂଗ୍ରେସଠାରୁ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଝାରସୁଗୁଡା ଠାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦୂରସଂଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।

ଦୂରସଂଚାର ସଂଯୋଗ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭,୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାରକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱ ପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ । ଏଥିରେ ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ, କୋରାପୁଟ ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଧେଶ୍ୟରେ ଲୋକର୍ପଣ ସାମିଲ ରହିଛି ।

ବ୍ରହ୍ମପୁର -ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି – ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୨୭୫ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ପ୍ରତିଷ୍ଠାନରେ ଗୁଣବତା, ସମାନତା, ଗବେଷଣା ଏବଂ ନବସୃଜନକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ମେରିଟ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ବ୍ୟତୀତ, ପାଂଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ, ୨୫ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଏବଂ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ଉନ୍ନତ କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୩୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ- ଫାଇ ସୁବିଧାର ଲୋକାର୍ପଣ କରିଛନ୍ତି, ଯାହା ମାଗଣା ଦୈନିକ ଡାଟା ପ୍ରଦାନ କରି ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ହସ୍ପିଟାଲ ରୂପେ ଉନ୍ନତିକରଣ କରିବା ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୫୦,୦୦୦ ହିତାଧିକାରୀଙ୍କୁ ମଞ୍ଜୁରି ଆଦେଶ ବଂଟନ କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଂଚି କାର୍ଯ୍ୟକ୍ରମ ପରେ ପ୍ରତ୍ୟାବର୍ତନ କରିଥିଲେ ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *