କଟକ ସଦର,୦୮/୦୬/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛି ଦିନ ହେଲା କଟକ ସହର ବିଜେଡ଼ିରେ ଇସ୍ତଫାର ଘଳିଆ ଖୋଲି ଯାଇଥିବା ବେଳେ କଟକ ସଦରରେ ଆଜି ଏହାର ଶୁଭାରମ୍ଭ ହୋଇଛି। କିଛି ଦିନର କଳ୍ପନା ଜଳ୍ପନା ପରେ ରାଜ୍ୟ ଓ ଜିଲ୍ଲା ବିଜେଡ଼ି ନେତୃତ୍ୱକୁ ଦାୟି କରି ଆଜି ସୋମବାର ଦିନ କଟକ ସଦର ର ଜଣାଶୁଣା ବିଜେଡ଼ି ସଂଗଠକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।
ସେହିପରି କଟକ ଜିଲ୍ଲା ମହିଳା ବିଜେଡ଼ି ଉପସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଝିନୁ ବେହେରାଙ୍କ ସମେତ ତାଙ୍କ ସ୍ୱାମୀ କଟକ ଜିଲ୍ଲା ବିଜେଡ଼ି କୋଷାଧ୍ୟକ୍ଷ ବିଶେଷକରି କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ଏକାନ୍ତ ଅନୁଗତ ତଥା ଡାହାଣ ହାତ କୁହାଯାଉଥିବା ଯୁବ ସଂଗଠକ ସୁବୋଧ ବେହେରା (ଧୁସା), କଟକ ଜିଲ୍ଲା ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଂପାଦକ କିଶୋର ହରି,ଧରିଣା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ମଧ୍ୟ ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଵିରିଵାଟି ଗୋଲ୍ଡେନ ପାର୍କ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଳାସ,ଝିନୁ ଓ ସୁବୋଧ, କିଶୋର, ପ୍ରଶାନ୍ତ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ଇସ୍ତଫା ପରେ ଏମାନେ କେଉଁ ଦଳକୁ ଯିବେ ତାହା ଜଣା ପଡିନଥିବା ବେଳେ କଂଗ୍ରେସକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଟକ ସଦର ରୁ ଆଗକୁ ଆହୁରି ବହୁ ଛାମୁଆ ନେତା ଓ କର୍ମୀ ଦଳ ଛାଡ଼ିବାକୁ ସଜବାଜ ହେଉଥିବା ଜଣାପଡିଛି। ଅନ୍ୟ ପକ୍ଷରେ କଟକ ମହାନଗର ସାଂଗଠନିକ ଜିଲ୍ଲାରେ ବିଜେଡ଼ି ସଭାପତି ଥାଉଁ ଥାଉଁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ସହର ସଂଗଠନରେ ଅନଧିକାର ମୁଣ୍ଡ ପୁରାଉ ଥିବାକୁ ନେଇ ସ୍ଥିତି ଵିଗୁଡୁଥିଵା ଅଭିଯୋଗ ହେଉଛି। ସେଥିରେ କଟକ ନେତା ପୂର୍ବତନ ମନ୍ତ୍ରୀ ଅଧୁନା ବିଜେଡ଼ି ରାଜ୍ୟ ସଭାପତି ପ୍ରତାପ ଜେନା ଙ୍କ ପାଇଁ କଟକ ବିଜେଡ଼ି ରାଜନୀତି ଏସିଡ୍ ଟେଷ୍ଟ ବୋଲି ଚର୍ଚ୍ଚା ହେଉଛି।
