ଭୁବନେଶ୍ୱର,୧୯/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କର ପରଲୋକ ଘଟିଛି। କିଛି ଦିନ ହେବ କୀଡନୀ ଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦ ସଂସ୍ଥା ସହିତ କାମ କରିଥିଲେ।
ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି : ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି