ସରକାରୀ ଅଧିକାରୀ ଓ କାଉନସିଲରଙ୍କ ଅନୁପସ୍ଥିତିରେ ରାତି ଅଧରେ କମୁ୍ୟନିଟି ସେଂଟର ଉଦ୍ଘାଟିତ

କେନ୍ଦ୍ରାପଡ଼ା,୨୬/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପରିଷଦ ଅଧିନ ୧୨ନମ୍ବର ୱାର୍ଡରେ ରାତିଅଧିଆ ଅତ୍ୟନ୍ତ ତରବରିଆ ଭାବେ ଏକ କମୁ୍ୟନିଟି ସେଂଟର(ଗୋଷ୍ଠିକେନ୍ଦ୍ର)କୁ କାହାକୁ ନଜଣାଇ ପୌରାଧ୍ୟକ୍ଷାଙ୍କ ସ୍ୱାମୀ ହାତଗଣତି କେତେ ଜଣ ସମର୍ଥକଙ୍କୁ ଧରି ଉଦଘାଟନ କରିଥିବା ଅଭିଯୋଗ ହୋଇଛି । ଏନେଇ ସେହି ୱାର୍ଡର କାଉନସିଲର ରିହାନା ଖାତୁନ ଜିଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପୌରାଧ୍ୟକ୍ଷାଙ୍କ ସ୍ୱାମୀ ରଞ୍ଜିତ କୁମାର ସାହୁ କେତେକ ଦଳୀୟ ସମର୍ଥକଙ୍କୁ ସାଙ୍ଗରେ ଧରି ଅତ୍ୟନ୍ତ ତରବରିଆ ଭାବେ ୧୨ନମ୍ବର ୱାର୍ଡର ଏକ ଗୋଷ୍ଠିକେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏସମ୍ପର୍କରେ ସେହି ୱାର୍ଡର କାଉନସିଲର ରିହାନା ଖାତୁନଙ୍କୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ କିମ୍ବା କୌଣସି ସରକାରୀ ଅଧିକାରୀ ଉପସ୍ଥିତ ନଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏପରି ଘଟଣା କିପରି ଓ କାହା ନିର୍ଦେଶରେ କରାଯାଇଛି ବୋଲି ପ୍ରଶାସନକୁ କାଉନସିଲର ପ୍ରଶ୍ନ କରିଛନ୍ତି । ଏଭଳି ଘଟଣାକୁ ନେଇ ସେହି ୱାର୍ଡର ଅଧିବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କାଉନସିଲର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହି ଅଭିଯୋଗର ନକଲ କେନ୍ଦ୍ରାପଡା ପୌରସଂସ୍ଥାର ପୌରନିର୍ବାହୀ ଅଧିକାରୀ, ରାଜ୍ୟ ନଗର ଉନ୍ନୟନ ବିଭାଗର ପୌରପ୍ରଶାସନ ନିର୍ଦେଶକ, ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *