ଘରେ ପଶି ଏମବିଏ ଛାତ୍ର ଙ୍କୁ ହତ୍ୟା କଲେ ମୁଖାପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ଵର,୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ପଛପଟ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ କୃଷ୍ଣ ପାଢ଼ୀ। ତାଙ୍କର ମୂଳ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଏମବିଏ ପାଠ ପଢ଼ିଥିଲେ ଏବଂ ଭୁବନେଶ୍ୱରରେ ନିଜ ବାପା ଓ ଭଉଣୀଙ୍କ ସହ ରହୁଥିଲେ।

ସୂଚନା ଅନୁଯାୟୀ,ଗତକାଲି ରବିବାର  ରାତିରେ କୃଷ୍ଣ ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶି ଏକ ଲୁହା ରଡ୍ ସାହାଯ୍ୟରେ କୃଷ୍ଣଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ହିମାଂଶୁ ପାଢ଼ୀ ଏବଂ ଭଉଣୀ ତାପସୀ ପାଢ଼ୀ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ, ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଓ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *