ଖୋର୍ଦ୍ଧା,୨୬/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ କବି ପ୍ରସନ୍ନ ପାଟ୍ଟଶାଣୀ ଆଂଚଳିକ ମହାବିଦ୍ୟାଳୟ, ମଳିପଡ଼ା ଠାରେ ସାଇବର କ୍ରାଇମ ଏବଂ ପୋକସୋ ଆଇନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
କର୍ମଶାଳାକୁ ମହାବିଦ୍ୟାଳର ଅଧ୍ୟକ୍ଷ ମିହିର ଚନ୍ଦ୍ର ମହାପାତ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜÿିଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ କର୍ମଶାଳାର ଅଭୁମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପ୍ଲାନ ଇଣ୍ଡିଆର କାର୍ଯ୍ୟକ୍ରମ ଅଧିକାରୀ ପ୍ରସନ୍ନ ଶୁକ୍ଲା ଏବଂ ଅମିତା ସିଂହ ଯୋଗଦେଇ ସାଇବର କ୍ରାଇମ ଏବଂ ପୋକସୋ ଆଇନ -୨୦୧୨ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
କର୍ମଶାଳାରେ ମହାବିଦ୍ୟାଳୟର ଯୁକ୍ତ୨ରେ ଅଧ୍ୟୟନ କରୁଥିବା ୨୨୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଉପୋରୋକ୍ତ କର୍ମଶାଳାର ମହତ୍ୱ ସେମାନଙ୍କ ପାଇଁ କେତେ ଉପଯୋଗୀ ସେମାନେ ଉପଲବ୍ଧି କରିଥିଲେ । କାରଣ ଏହି ବୟସରେ ଯଦି ସେମାନେ ଏ ଦିଗରେ ସଚେତନ ନ ହେବେ ତେବେ ଦୈନନ୍ଦିନ ସାଇବର କ୍ରାଇମରେ ଯେଉଁ ଭଳି ଲୋକମାନେ ଶିକାର ହେଉଛନ୍ତି ସେମାନେ ମଧ୍ୟ ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ଇତିହାସ ଅଧ୍ୟାପକ କିଶୋର କୁମାର ସାହୁ ଏବଂ ତର୍କଶାସ୍ତ୍ର ଅଧ୍ୟାପକ ଅଶୋକ କୁମାର ମଲ୍ଲିକ ମତ ରଖିଥିଲେ ।
ପ୍ରୋବେସନ ଅଧିକାରୀ ସୌମେନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟତ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
