ଆକ୍ରମଣକାରୀ ଗୋମାଫିିଆଙ୍କୁ ଗିରଫ ଓ ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଗତ ଅଗଷ୍ଟ ୨୮ ତାରିଖ ରାତି ୯ ଘଟିକା ସମୟରେ ବରମୁଣ୍ଡା ଓଭରବ୍ରିଜ ଉପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆନ୍ଧ୍ର ଓ ତେଲେଙ୍ଗାନାରୁ ୬ଟି ଟ୍ରକରେ ଦୁଆଁଳିଆ ଗାଈ ଓ ବାଛୁରୀ ନେଇ ଓଡ଼ିଶା ଫେରୁଥିବା ଦୁଗ୍ଧ ଚାଷୀମାନଙ୍କୁ ୫୦ରୁ ୬୦ ଗୋମାଫିଆ ଘେରିଯାଇ ଗୋ ଚାଲାଣକାରୀ ଆଖ୍ୟା ଦେଇ ‘ଜୟ ଶ୍ରୀରାମ ନାରା’ ଦେଇ ଆକ୍ରମଣ କରିଥିଲେ ।
ସେମାନଙ୍କ ଆକ୍ରମଣରେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଯିବା ସହିତ ୪ଜଣ ଦୁଗ୍ଧ ଚାଷୀ ଓ ଦୁଇଜଣ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଭଦ୍ରକ ଜିଲାର ଚାଷୀ ଦମୋଦର ଦାସ ଓ ମାୟାଧର ସେନାପତି ଘଟଣାସ୍ଥଳରୁ କୌଣସିମତେ ଲୁଚି ପଳାଇ ଯାଇ ଖଣ୍ଡଗିରି ଥାନାରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଖଣ୍ଡଗିରି ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଦୁଗ୍ଧ ଚାଷୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ ଏବଂ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ ।
ସେହି ଆକ୍ରମଣର ଦାଗ ନ ଲିଭୁଲୁ ସେପ୍ଟେମ୍ବର ୬ ତାରଖ ଭୋର ସମୟରେ ପଳାଶୁଣି ଓଭରବି୍ରଜ ତଳେ ପୁନଶ୍ଚ କଟକ ଜିଲାର ଚାଷୀ ସୋମନାଥ ବେହେରା ଓ ଅନ୍ୟମାନେ ଗାଈନେଇ ଆନ୍ଧ୍ରରୁ ଫେରୁଥିଲା ବେଳେ ଗୋମାଫିଆମାନେ ସେମାନଙ୍କୁ ଆକ୍ରମଣ କଲେ । ରାସ୍ତା ଉପରେ ଉଲଗ୍ନ କରି ଗୋମାଫିଆମାନେ ଏହି ଦୁଗ୍ଧ ଚାଷୀ ମାନଙ୍କୁ ଜବରଦସ୍ତ ଚାନ୍ଦା ଦେବା ପାଇଁ ବାଧ୍ୟ କଲେ ଏବଂ ଘଟଣାସ୍ଥଳରୁ ଚାଷୀମାନଙ୍କ ଠାରୁ ଟଙ୍କା, ମୋବାଇଲ ଛାଡ଼ାଇନେଲେ । କୌଣସି ସୂତ୍ରରୁ ଖବର ପାଇ ମଂଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଂଚି ଦୁଗ୍ଧ ଚାଷୀ ମାନଙ୍କୁ ଥାନାକୁ ନେଇଥିଲେ । ଘଟଣାସ୍ଥଳରେ ଧସ୍ତାଧସ୍ତି ବେଳେ ଗୋଟିଏ କଅଁଳା ବାଛିରୀର ମୃତୁ୍ୟ ହୋଇଥିଲା । କିନ୍ତୁ ପୋଲିସ୍ ଗୋମାଫିଆମାନଙ୍କୁ ଜାଣିଶୁଣି ଖସାଇ ଦେଇଥିଲା ।
ଏହି ଦୁଇଟି ଘଟଣା ଉପରେ ରାଜ୍ୟର ଦୁଗ୍ଧ ଚାଷୀ ଓ ଯାଦବ ବନ୍ଧୁମାନେ ବିଭାଗୀୟ ମନ୍ତ୍ରୀ, ପୋଲିସ୍ କମିଶନର, ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗୋମାଫିଆମାନେ ଆଜିପର୍ଯ୍ୟନ୍ତ ଗିରଫ ହେଲେନାହିଁ । ଫଳରେ ଦୁଗ୍ଧ ଚାଷୀ ମାନେ ୧୮ ତାରିଖ ବିଧାନସଭା ସମୟରେ ବିଧାନସଭା ଘେରାଉର ଚେତାବନୀ ଦେଇଥିଲେ । ୧୭ ତରିଖ
ରାତିରେ ବିଭାଗୀୟ ମନ୍ତ୍ରୀ ଗୋଗୁଳାନନ୍ଦ ମଲ୍ଲିକ ଦୁଗ୍ଧ ଚାଷୀ ଓ ଯାଦବ ମହାସଂଘର ନେତୃମଣ୍ଡଳୀଙ୍କୁ ଭେଟି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଦୁଗ୍ଧ ଚାଷୀ ମାନଙ୍କୁ ସୁରକ୍ଷା ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଦୁଗ୍ଧ ଚାଷୀ ମାନେ ୭ ଦିନ ପାଇଁ ବିଧାନସଭା ଘେରାଉକୁ ସ୍ଥଗିତ ରଖିଥିଲେ । ୭ ଦିନ ମଧ୍ୟରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ୨୫ ତାରିଖ ଗୁରୁବାର ଶହ ଶହ ଦୁଗ୍ଧ ଚାଷୀ ମାଷ୍ଟର କ୍ୟାନ୍ଟିନ ଛକରୁ ପିଏମଜି ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସି ପ୍ରତିବାଦ କରିଥିଲେ ।
ଚାଷୀମାନଙ୍କ ମଧ୍ୟରୁ ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା, ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲା ସଭାନେତ୍ରୀ ପୁଷ୍ପାଞ୍ଜଳି ଦାସ, ଦୁଗ୍ଧ ଉତ୍ପାଦନକାରୀ ସଂଘ ଭୁବନେଶ୍ୱର ସଭାପତି ସଭାପତି ରାଜକିଶୋର ଦାସ(ନନ୍ଦ), ସର୍ବଭାରତୀୟ ଯାଦବ ମହାସଭା ଓଡ଼ିଶା ଶାଖାର ସଭାପତି ନବକିଶୋର ବେହେରା ଓ ସଂଯୋଜିକା ରଶ୍ମୀରାଣି ବେହେରା, ଅଲ ଓଡ଼ିଶା ଗୋପାଳ ସମାଜର ସମ୍ପାଦକ ନାରାୟଣ ଡାଳୁଆ ଏବଂ ଅଲ ଓଡ଼ିଶା ଗୋପାଳ ଯାଦବ ମହାସଂଘର ସଭାପତି ନାରାୟଣ ବେହେରା ପ୍ରମୁଖ ଏକ ୭ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କର ସ୍ୱତନ୍ତ୍ର ସଚିବ ସୁକାନ୍ତ ବେହେରା ଓ ଯୁଗ୍ମ ସଚିବ ରଶ୍ମିରଞ୍ଜନ ସାହୁଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଅଗଷ୍ଟ ୨୮ ଓ ସେପ୍ଟେମ୍ବର ୬ ତାରିଖ ଦୁଗ୍ଧ ଚାଷୀ ଙ୍କୁ ଆକ୍ରମଣ ଘଟଣାରେ ଜଡ଼ିତ ଗୋମାଫିଆଙ୍କୁ ତୁରନ୍ତ ଗିରଫ କରିବା, ମୃତ ବାଛୁରୀ ଓ ଗାଈ ପାଇଁ ଦୁଗ୍ଧ ଚାଷୀ ଙ୍କୁ କ୍ଷତିପୂରଣ ଦେବା ଏବଂ ଆଗାମୀ ଦିନରେ ଗାଈ, ବାଛୁରୀ ନେଇ ଆସୁଥିବା ଦୁଗ୍ଧ ଚାଷୀ ଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବା ଏବଂ ନଈପାଣିରେ ମୃତୁ୍ୟବରଣ କରିଥିବା ୭୩ଟି ମଇଁଷି କେନ୍ଦ୍ରପଡ଼ା ଜିଲାର ଏକମାଣିଆ ଗ୍ରାମର କ୍ଷତିଗ୍ରସ୍ତ ଗୋପାଳକଙ୍କୁ କ୍ଷତିପୂରଣ ଦେବା ଆଦି ଚାରିଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର ତୁରନ୍ତ ଘଟଣା ଉପରେ ହସ୍ତକ୍ଷେପ କରି ଦୁଗ୍ଧ ଚାଷୀ ମାନଙ୍କୁ ସୁରକ୍ଷା ନଦିଅନ୍ତି, ତେବେ ଦୁଗ୍ଧ ଚାଷୀ ମାନେ ଗାଈବାଛୁରୀ ଧରି ଲୋକସେବା ଭବନକୁ ପ୍ରବେଶ କରିବେ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ଦୁଗ୍ଧ ଉତ୍ପାଦନକାରୀ ସଂଘ, ଭୁବନେଶ୍ୱର ସମ୍ପାଦକ ନୃସିଂହ ବେହେରା, ଆଡ଼ଭୋକେଟ ଅକ୍ଷୟ ବେହେରା, ସଞ୍ଜୟ ବେହେରା, ପିତାମ୍ବର ବେହେରା, ତି୍ରନାଥ ବେହେରା, ନାରୀନେତ୍ରୀ ମାମିନା ବେହେରା, ସୁମିତ୍ରା ବେହେରା, ପଲ୍ଲିଶ୍ରୀ ବେହେରା, ଅବିନାଶ ପରିଡ଼ା, ମନୋଜ ଦାସ, ତି୍ରଲୋଚନା ବେହେରା ଓ ଯୁବନେତା ରାଜ୍ୟପି୍ରୟ ଦାସ ପ୍ରମୁଖ ଏହି ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
