ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି

          ‘ଲକ୍ଷ୍ମଣ ନାଏକ ସ୍ୱାଧୀନତା ଆନ୍ଦୋଳନରେ ସର୍ବୋଚ୍ଚ ବଳିଦାନ ଦେଇସମସ୍ତ ଓଡ଼ିଆ ପ୍ରାଣରେ ଚିରନମସ୍ୟ ହୋଇ ରହିଛନ୍ତି’

ଭୁବନେଶ୍ୱର,୨୯/୦୩/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଫାଶୀଖୁଣ୍ଟରେ ଝୁଲିଥିଲେ ସେମାନଙ୍କ ମଧ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକ  ଅନ୍ୟତମ । କୋରାପୁଟର ତେନ୍ତୁଳିଗୁମା ପରି ଏକ ଅଖ୍ୟାତ ଗ୍ରାମରେ ଜନ୍ମଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ୱାଧୀନତା ଆନ୍ଦୋଳନରେ ସର୍ବୋଚ୍ଚ ବଳିଦାନ ଦେଇ ସମସ୍ତ ଓଡ଼ିଆ ପ୍ରାଣରେ ଚିରନମସ୍ୟ ହୋଇ ରହିଛନ୍ତି ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଲେ ଯେ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିଟି ରକ୍ତ ବିନ୍ଦୁରେ ଦେଶପ୍ରେମ ଓ ବୀରତ୍ୱର କାହାଣୀ ଲେଖା ଅଛି ।

ଲକ୍ଷ୍ମଣ ନାଏକଙ୍କ ଅପୂର୍ବ ଦେଶପ୍ରେମ ବିଷୟରେ ଆଲୋକପାତ କରି ତାଙ୍କୁ ଆଦିବାସୀମାନଙ୍କ ମଉଡ଼ମଣି ବୋଲି ଅଭିହିତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଓ ଦିଗ୍‌ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଲକ୍ଷ୍ମଣ ନାଏକ ଫାଶିଖୁଣ୍ଟରେ ଚଢ଼ିବା ପୂର୍ବରୁ ନିଶ୍ଚୟ ଦେଶରେ ସ୍ୱାଧୀନତା ଆସିବ ବୋଲି ଦୃଢ଼ଆଶା ପୋଷଣ କରିଥିଲେ । ତାଙ୍କ ବଳିଦାନ ଦିବସକୁ ଆଗାମୀ ପିଢ଼ି ନିଜର ଆଦର୍ଶ ବୋଲି ଗ୍ରହଣ କରି ପାରିଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ବୀର ଲକ୍ଷ୍ମଣ ନାଏକଙ୍କ ଦେଶଭକ୍ତି ଓ ଜନସେବା ଆମକୁ ସର୍ବଦା ପ୍ରେରଣା ଦେବା ସହ ଓଡ଼ିଆ ଜାତି ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ।

ସମ୍ମାନନୀୟ ଅତିଥି ଭାବେ ନବରଙ୍ଗପୁରର ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ବ୍ରିଟିଶ ଶାସନ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅନ୍ୟାୟ ଭାବେ ଫାସୀ ପାଇଥିବା ସହିଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦେଶପାଇଁ ଅବିସ୍ମରଣୀୟ । ସେ ଥିଲେ ଆମ ଦେଶ ତଥା ଜାତିର ଗର୍ବ ଓ ଗୌରବ । ତାଙ୍କର ନିଷ୍ଠାପର ସାଂଗଠନିକ ଦକ୍ଷତା, ଦୁଃସାହସିକତା ଓ ତ୍ୟାଗ ମନୋବୃତ୍ତି ଭବିଷ୍ୟତ ପିଢ଼ି ପାଇଁ ପାଥେୟ ହେଉ । ତାଙ୍କର ସ୍ମୃତି ଚାରଣ ପୂର୍ବକ ତାଙ୍କ କାର୍ଯ୍ୟାଧାରାରେ ଅନୁପ୍ରାଣିତ ହେବା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସେମାନଙ୍କ ବକ୍ତବ୍ୟରେ ଲକ୍ଷ୍ମଣ ନାଏକଙ୍କ ଜୀବନାଦର୍ଶ ସଂପର୍କରେ ମତ ରଖିବା ସହ ସେ ଆଦିବାସୀମାନଙ୍କୁ ସଂଗଠିତ କରି ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନକୁ ସମର୍ଥନ କରିବା ସହ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ ସାଜିଥିଲେ ବୋଲି ଅଭିହିତ କରିଥିଲେ । ଆପଣାର ହକ୍‌ ବା ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ସରଳ ଜନଜାତି ମଣିଷ କିପରି ଦେଶପ୍ରେମର ନିଦର୍ଶନ ରଖି ଯାଇପାରେ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶହୀଦ ବୀର ଲକ୍ଷ୍ମଣ ନାଏକ । ଜନଜାତିଙ୍କ ସ୍ୱାଭିମାନ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାଏକଙ୍କ ପାଇଁ ଆମ ଜାତି ଆଜି ଗର୍ବିତ ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ( ବୈଷୟିକ ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଲକ୍ଷ୍ମଣ ନାଏକଙ୍କର ମାତୃଭୂମି ପ୍ରତି ଥିବା ନିଷ୍ଠା ଅନନ୍ୟ ଓ ବିରଳ । ମାଲକାନଗିରିର ଗାନ୍ଧୀ ଲକ୍ଷ୍ମଣ ନାଏକ ଭାରତ ସ୍ୱାଧୀନତା ଆନ୍ଦୋଳନ ସହ ଜନଜାତି ଅସ୍ମିତା ଓ ସ୍ୱାଭିମାନ ପାଇଁ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଉତ୍ତରପିଢ଼ିଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରାରମ୍ଭରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ଉପସଭାପତି ଇଂ ଗୋଦାବରିଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅର୍ପଣ ମିଉଜିକ ସର୍କଲ, କୋରାପୁଟର କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

-0-

ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *