୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଟିପିସିଓଡିଏଲ୍‍ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଲେ

ଭୁବନେଶ୍ୱର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଭୁବନେଶ୍ୱର ଟିପିସିଓଡିଏଲ୍‍ ସର୍କଲ୍‍-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ନିର୍ବାହୀ ଯନ୍ତ୍ରୀ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଟ୍ରାନ୍ସଫର୍ମର୍‌କୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବାକୁ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହି ଚଢାଉ ପରେ ତାଙ୍କ ୩ଟି ଠିକଣାରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ଏକ ଆପାର୍ଟମେଣ୍ଟ୍‌ର ଟ୍ରାନ୍ସଫର୍ମର୍‌କୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବାକୁ ଠିକାଦାର ଜଣକ ଟିପିସିଓଡିଏଲ୍‍ ଅଫିସ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ରିପୋର୍ଟ ପ୍ରଦାନ କରିବା ପାଇଁ ତୁଷାରକାନ୍ତ ରାୟ ସମ୍ପୃକ୍ତ ଠିକାଦାରଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଅଭିଯୋଗ କରିବା ପରେ ବୁଧବାର ବିଳମ୍ବିତ ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲେ  ।

ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ତାଙ୍କ ୩ଟି ଠିକଣାରେ ଭିଜିଲାନ୍ସ ଟିମ୍  ଏକକାଳୀନ ଚଢାଉ କରୁଛି । ଛାନ୍‌ଭିନ୍ ବେଳେ ତାଙ୍କ ବାସଭବନରୁ ୯,୫୩,୨୦୦ ଟଙ୍କା ମିଳିଛି । ଏହା ସହ ଅନେକ ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି । ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୨୧ (୨୪.୦୯.୨୦୨୫) ଦଫା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *