ଭୁବନେଶ୍ୱର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)- ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଶେଷ ହୋଇଛି । ମାତ୍ର ୬ଟି କାର୍ଯ୍ୟଦିବସ ପରେ ଗୋଟିଏ ଦିନ ପୂର୍ବରୁ ଏହାକୁ ମୁଲତବୀ ଘୋଷଣା କରାଯାଇଛି । ଏହି ଅଧିବେଶନ ଆରମ୍ଭରୁ ବାରମ୍ବାର ହୋହଲ୍ଲା ଯୋଗୁଁ ମୁଲତବୀ ହୋଇଥିଲା ।
କଂଗ୍ରେସ ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ।ମାତ୍ର ବାଚସ୍ପତ୍ତି ତାହାକୁ ଗ୍ରହଣ କରି ନଥିଲେ । ନାରୀ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଏଥରର ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା ।
ବିଧାନସଭାର ଏହି ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ଥିଲା ମାତ୍ର ୭ଟି କାର୍ଯ୍ୟ ଦିବସ । ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିଲା, ସରିଥାଆନ୍ତା ୨୫ରେ ।
ଏହି ଅଧିବେଶନରେ ଗୋଟିଏ ମାତ୍ର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇଥିଲା । ୮ଟି ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିବାବେଳେ ୨ଟି ସଂଶୋଧନ ବିଲ୍ ପାରିତ ହୋଇଛି । ଶେଷ ଦିନରେ ୪ଟି ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହାସହ ଅଧିବେଶନରେ ୧୪ଟି କାଗଜ, ୧୫ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ, ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହୋଇଛି । ଜିଏସଟି ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ସଂକଳ୍ପ ପାରିତ ହୋଇଥିଲା ।
ଏହି ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଆସିଥିବାବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ପାରିନଥିଲେ । ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍ନେସ୍ ନ ଥିବା ଯୋଗୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏକ ମୋଶନ ଆଣିଥିଲେ। ପାର୍ବଣ ପାଇଁ ଗୃହକୁ ଦିନକ ପୂର୍ବରୁ ବନ୍ଦ କରାଇବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୋଶନ ପାସ୍ କରାଇବାରେ ଅଧିକ ସଦସ୍ୟଙ୍କ ସମର୍ଥନ ରହିବା ଯୋଗୁ ରାତି ୯.୧୯ ମିନିଟ୍ରେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବି ଘୋଷଣା ହୋଇଥିଲା।
