କଟକ ସଦର,୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲ୍ ଭାବେ ପରିଚିତ ଚୌଦ୍ୱ।ର ଜେଲ୍ ରୁ ଦୁଇଜଣ ବିହାରୀ ହାର୍ଡକୋର ଅପରାଧୀ ସେଲ୍ କାଟି ସୁଉଚ୍ଚ ପାଚେରୀ ଡେଇଁ ଚମ୍ପଟ ମାରିଥିବା ଜଣାପଡିଛି। ପ୍ରକାଶ ଯେ ଗତକାଲି ଗୁରୁବାର ରାତିରେ ଦଶହରା ଉପଲକ୍ଷେ ଜେଲ୍ ଭିତରେ ମେଲୋଡି କାର୍ୟ୍ୟକ୍ରମ ଚାଲିଥିବା ବେଳେ ଜେଲ୍ କର୍ମଚାରୀ ମାନେ ନିଜର ଦାୟିତ୍ୱ ଜ୍ଞାନ ଭୁଲି ସାଂସ୍କୃତିକ କାର୍ୟ୍ୟକ୍ରମ ରେ ମସଗୁଲ ଥିଲେ। ଏହି ସୁଯୋଗରେ ଅପରାଧୀ ଦ୍ୱୟ ଆରି କରତରେ ସେଲ୍ ର ଲୁହା ରଡ଼ କାଟି ବାହାରକୁ ବାହାରି ଉଚ୍ଚ ପାଚେରୀ ରେ ମୋଟା ଦଉଡ଼ି ଓ ଲୁଗା ପକାଇ ଖସିଯିବାକୁ ସକ୍ଷମ ହୋଇଥିଲେ।
ହେଲେ ଜେଲ୍ ର ସେଲ୍ ଭିତକୁ ଆରି କେମିତି ଗଲା, ଦଉଡ଼ି କେଉଁଠୁ ଆସିଲା ତାକୁ ନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ସେମାନଙ୍କୁ ଖସାଇଵାରେ ଏକାଧିକ ଜେଲ୍ କର୍ମଚାରୀ ଙ୍କ ହାତ ଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ପାଣିକୋଇଲି ଠାରେ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଓ ହତ୍ୟା ମାମଲାରେ ଏହି ଦୁଇ ଅପରାଧୀ ଗିରଫ ହୋଇ ଜେଲରେ ଥିଲେ। ଉକ୍ତ ଘଟଣା ଆଜି ଶୁକ୍ରବାର ଜଣାପଡିବା ପରେ ଜେଲ୍ ର ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠିଛି। ଘଟଣା ସ୍ଥଳରେ ଜେଲ୍ ବିଭାଗ ଡିଜି ସୁଶାନ୍ତ କୁମାର ନାଥ ଓ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ପହଞ୍ଚି ଘଟଣାର ଛାନଭିନ୍ ଚଳାଇଥିବା ଜଣାପଡିଛି।
ଚୌଦ୍ୱ।ର ଜେଲ୍ ରୁ ଚମ୍ପଟ ମାରିଥିବା ଦୁଇ ଦୂର୍ଦାନ୍ତ ବିହାରୀ ଅପରାଧୀ ଙ୍କ ଫଟୋ ଓ ଠିକଣା ଜାରି କଲେ ଜେଲ୍ ଡ଼ିଜି ସୁଶାନ୍ତ କୁମାର ନାଥ। ଅପରାଧୀଙ୍କ ସମ୍ପର୍କରେ ଜଣାଇଲେ ନାମ ଗୋପନ ରଖାଯିଵା ସହିତ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ।
