କେନ୍ଦ୍ରାପଡ଼ା,୨୪/୦୯/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯.୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହିତ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ ଓ ଗ୍ରାମାଂଚଳ ଥାନା ଅଧିନସ୍ତ ନିମପୁର ଗ୍ରାମର ରାଜେଶ କୁମାର ସେଠି (୨୫)ଙ୍କ ପାଖରୁ
୫୦ ଗ୍ରାମ ବ୍ରାଉନସୁଗାର ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ୱାର୍ଡ ନମ୍ବର-୧୩ ଅଂଚଳର ସଖାୱାତ ଅଲି ଖାନ (୩୨)ଙ୍କ ପାଖରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୯.୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଧର୍ମପଦ ଦାସ, ସହକାରୀ ଉପ ନିରୀକ୍ଷକ ସୁନୀଲ କୁମାର ମିଶ୍ର, ଟୁକୁନା ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
